ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ଏକାଧିକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ପଞ୍ଜାବରେ ମଧ୍ୟ ସ୍ଥିତି ବେହାଲ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟବାସୀଙ୍କୁ ସହଯୋଗରେ ହାତ ବଢ଼ାଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)। ପଞ୍ଜାବର ବନ୍ୟା ପୀଡିତଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଫ୍ରାଞ୍ଚାଇଜ୍‌ ପକ୍ଷରୁ ରିଲିଫ ପାଣ୍ଠିକୁ ୩୩.୮ ଲକ୍ଷ ଟଙ୍କା ଦାନ କରାଯାଇଛି।  ପଞ୍ଜାବରେ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ବନ୍ୟା ପରିସ୍ଥିତି ଉପୁଜିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ବନ୍ୟାରେ ଏପର୍ଯ୍ୟନ୍ତ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଆରମ୍ଭରୁ ରାଜ୍ୟର ୧୨ ଜିଲ୍ଲା ବିପର୍ଯ୍ୟୟର ଶିକାର ହୋଇଥିଲେ। ହେଲେ ପରେ ସ୍ଥିତି ଉକ୍ଟଟ ହେବାରୁ ପଞ୍ଜାବର ସମସ୍ତ ୨୩ଟି ଜିଲ୍ଲା ବନ୍ୟା ପ୍ରଭାବିତ ଘୋଷଣା କରାଯାଇଛି। ଏପରି ଦୁଃଖଦ ସମୟରେ, ପଞ୍ଜାବ କିଙ୍ଗସ୍ 'ଟୁଗେଦର ଫର୍ ପଞ୍ଜାବ' ଅଭିଯାନର ଅଂଶ ଭାବରେ ହେମକୁଣ୍ଟ ଫାଉଣ୍ଡେସନ ଏବଂ ରାଉଣ୍ଡ ଟେବୁଲ ଇଣ୍ଡିଆ ସହିତ ସହଭାଗୀ ହୋଇ ରିଲିଫ୍ ଯୋଗାଇବାକୁ ଆଗେଇ ଆସିଛି।

PBKS ଦାନ କରିଥିବା ୩୩. ଲକ୍ଷ ଟଙ୍କାକୁ ରାଜ୍ୟର ବନ୍ୟା ପ୍ରଭାବିତ ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ଉଦ୍ଧାର ଡଙ୍ଗା, ଜରୁରୀକାଳୀନ ଚିକିତ୍ସା ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଣରେ ବ୍ୟବହାର କରାଯିବ। ଏହା ବ୍ୟତୀତ ଫ୍ରାଞ୍ଜାଇଜ୍ କେଟ୍ଟୋ ସହିତ ମିଶି ଟିମ୍ ୨ କୋଟି ଟଙ୍କା ସଂଗ୍ରହ କରିବା ଲକ୍ଷ୍ୟରେ ଏକ ପାଣ୍ଠି ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରିଛି।

ସଂଗୃହୀତ ପାଣ୍ଠିକୁ ଗ୍ଲୋବାଲ୍ ଶିଖ୍ ଚାରିଟିକୁ ଦାନ କରାଯିବ। ଏହଂ ସଂଗଠନ ରାଜ୍ୟର ସ୍ଥିତି ସୁଧାରିବାକୁ ଦାନ ହୋଇଥିବା ଟଙ୍କାର ବ୍ୟବହାର କରିବ। ଏହା ପୂର୍ବରୁ, ଶୁଭମନ ଗିଲ୍ ମଧ୍ୟ ପଞ୍ଜାବ ବନ୍ୟା ସ୍ଥିତିରେ ଦୁଃଖ ପ୍ରକାଶ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ପଞ୍ଜାବରେ ୧୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୬୧,୦୦୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଫଳରେ ପ୍ରାୟ ୧୪.୬ ନିୟୁତ ବାସିନ୍ଦା ବାସଚ୍ୟୁତ ହୋଇଛନ୍ତି। ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ଉପରମୁଣ୍ଡରେ ଡ୍ୟାମ ପାଣି ଛାଡ଼ିବା ଯୋଗୁ ସତଲେଜ୍, ବ୍ୟାସ୍ ଏବଂ ରବି ନଦୀରେ ପ୍ରବଳ ପାଣି ଆସି ବନ୍ୟା ସୃଷ୍ଟି କରିଛି।

ରାଜ୍ୟରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା, ଏନଡିଆରଏଫ, ବିଏସଏଫ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ୧୧,୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିଲିଫ୍ ଶିବିର ଏବଂ ପୁନର୍ବାସ ଯୋଜନା କାର୍ଯ୍ୟକାରୀ କରାଯାଉଛି।