ପୁଣେ ପୋର୍ସ କାଣ୍ଡ: ନାବାଳକ ଅଭିଯୁକ୍ତର ଜାମିନ ରଦ୍ଦ, ବାଳ ସୁଧାର ଗୃହକୁ ପଠାଇଲେ ଜେଜେ ବୋର୍ଡ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ଜଷ୍ଟିସ୍ ଜୁଭେନାଇଲ୍ ବୋର୍ଡ ବୁଧବାର ପୁଣେ ପୋର୍ସ ଦୁର୍ଘଟଣାର ୧୭ ବର୍ଷୀୟ ନାବାଳିକ ଅଭିଯୁକ୍ତର ଜାମିନକୁ ରଦ୍ଦ କରିଛନ୍ତି । ଏବେ ତାକୁ ବାଳ ସୁଧାର ଗୃହକୁ ପଠାଯାଇଛି । ଏହା ପୂର୍ବରୁ ପୋଲିସ ନାବାଳକର ବିଲ୍ଡର ବାପାକୁ ଗିରଫ କରିଥିଲା । ଏହାପରେ କୋର୍ଟ ମେ ୨୪ ଯାଏ ତାଙ୍କୁ ପୋଲିସ ରମାଣ୍ଡରେ ପଠାଇଛନ୍ତି । ମେ ୧୯ରେ ପୋର୍ସ କାର ଧକ୍କାରେ ବାଇକରେ ଯାଉଥିବା ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଜେଜେ ବୋର୍ଡ ନାବାଳକ ଅଭିଯୁକ୍ତକୁ ଜୁନ୍ ୫ ଯାଏ ବାଳ ସୁଧାର ଗୃହକୁ ପଠାଇଛନ୍ତି । ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ ନାବାଳକ ଅଭିଯୁକ୍ତ ବିରୋଧରେ ଜଣେ ବୟସ୍କ ପରି ମୋକଦ୍ଦମା ଚାଲିବା ଦରକାର । ଏଥିପାଇଁ ପୋଲିସ ଉପର କୋର୍ଟରେ ଅନୁମତି ମାଗିଛି ।

ଉଲ୍ଲେଖଯୋଗ୍ୟ ଯେ ପୁଣେରେ ୧୭ ବର୍ଷୀୟ ନାବାଳକ ତିନି ଦିନ ପୂର୍ବେ ମଦ ନିଶାରେ ନିଜ ପୋର୍ସ କାରରେ ବାଇକରେ ଯାଉଥିବା ଦୁଇ ଇଞ୍ଜିନିୟରଙ୍କୁ ଧକ୍କା ମାରିଥିଲା । ଦୁର୍ଘଟଣାରେ ଦୁହିଁ(ଯୁବକ-ଯୁବତୀ)ଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ନାଁ ଅନିଶ ଅବଧିୟା (୨୪) ଏବଂ ଅଶ୍ୱିନୀ କୋଷ୍ଟା (୨୪) । ଦୁହେଁ ମଧ୍ୟପ୍ରଦେଶର ହୋଇଥିବା ବେଳେ ପୁଣେରେ କାମ କରୁଥିଲେ । 

ଏହି ମାମଲାରେ ଜଷ୍ଟିସ୍ ଜୁଭେନାଇଲ୍ ବୋର୍ଡ କିଛି ସର୍ତ୍ତ ସହ ନାବାଳକକୁ ଜାମିନ ଦେଇଥିଲେ । ପୋଲିସ ଏବେ ସୁଦ୍ଧା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏଥିରେ ବାରର ଦୁଇ ମ୍ୟାନେଜର, ବାର ମାଲିକ, ହୋଟେଲ୍ କର୍ମଚାରୀ ଏବଂ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲଙ୍କ ନାଁ ସାମିଲ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.