ବାରୀ (ଇଟାଲୀ)୧୫।୬: ଜି-୭ ସମ୍ମିଳନୀରେ ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ ହେବା ଭାରତ ନିମନ୍ତେ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏଥି ପାଇଁ ଜି-୭ ଦେଶମାନେ ଭାରତକୁ ବଡ଼ ଉପହାର ଦେଇଛନ୍ତି। ଏହା ଦ୍ୱାରା ଭାରତକୁ ଏବେ ହାଇସ୍ପିଡ ରେଲୱେ ଯୋଗେ ୟୁରୋପ ସହ ସଂଯୁକ୍ତ କରିବା ପାଇଁ ସହମତି ହୋଇଛି। ଏହା ଦ୍ୱାରା ପଶ୍ଚମ ଏସିୟାରୁ ଆରମ୍ଭ କରି ଭାରତର ବାଣିଜ୍ୟ ବ୍ୟବସାୟରେ ଅନେକଗୁଣା ବୃଦ୍ଧି ହେବ।
ଉଲ୍ଲେଖଯୋଗ୍ୟ ଯେ ଜି-୭ ଶେଷରେ ଔଦ୍ୟୋଗିକ ଦେଶଙ୍କ ସମୂହ ବିଜ୍ଞପ୍ତି ଜାରି କରି ଭାରତ-ପଶ୍ଚିମଏସିୟା-ୟୁରୋପ କରିଡୋର (ଆଇଏମଇସି) ଭଳି ମଜଭୁତ ଭିତ୍ତିଭୂମି ପ୍ରସ୍ତାବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରକଳ୍ପକୁ ସଡ଼କ ମାର୍ଗ ସହିତ ହାଇସ୍ପିଡ ରେଲୱେରେ ଯୋଡିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ବିଜ୍ଞପ୍ତି ଶୁକ୍ରବାର ଲକଜରୀ ରିସୋର୍ଟ ବୋର୍ଗୋ ଏଗ୍ନାଜିୟାରେ ପ୍ରଥା ରୂପେ ‘ପାରିବାରିକ’ ଫଟୋ ପରେ ଜାରି କରାଯାଇଛି।
ଏହା ସହିତ ଜି-୭ଆଇନର ଶାସନ ଆଧାରରେ ‘ସ୍ୱାଧୀନ ଓ ମୁକ୍ତ ହୀନ୍ଦ-ପ୍ରଶାନ୍ତ’ ପାଇଁ ମଧ୍ୟ ସଂକଳ୍ପକୁ ଦୋହରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଆୟୋଜକ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀଙ୍କ ନିମନ୍ତ୍ରଣରେ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତ-ପଶ୍ଚିମ ଏସିୟା-ୟୁରୋପ ଇକୋନମିକ କରିଡୋର (ଆଇଏମଇସି) ପ୍ରକଳ୍ପରେ ସାଉଦୀ ଆରବ, ଭାରତ, ଆମେରିକା ଓ ୟୁରୋପ ମଧ୍ୟରେ ଏକ ବିଶାଳ ସଡ଼କ, ରେଳମାର୍ଗ ଓ ପୋତ ପରିବହନ ପ୍ରଣାଳୀର ପରିକଳ୍ପନା କରାଯାଇଛି, ଯାହା ଦ୍ୱାରା ଏସିୟା, ପଶ୍ଚିମଏସିୟା ଓ ପଶ୍ଚିମ ସହିତ ସଂଯୁକ୍ତ ସୁନିଶ୍ଚିତ ହୋଇପାରିବ।
ଆଇଏମଇସିକୁ ସମାନବିଚାରଧାରା ଦେଶମାନେ ଚୀନ୍ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଭଳି ରଣନୈତିକ ପ୍ରଭାବ ହାସଲ ଲାଗି ଉଦ୍ୟମ ଭାବେ ଦେଖୁଛନ୍ତି। ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ କାଳରେ ଆଇଏମଇସିକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।