ପାରା ଫେନସିଂ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିବେ ଗଜପତିର ପୂଜାସ୍ୱିନୀ ନାୟକ

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ପାରା ଫେନସିଂ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରିବେ ଗଜପତି ଜିଲ୍ଲାର ଜଣେ ଆନ୍ତର୍ଜାତୀୟ ହୁଇଲଚେୟାର ଫେନସିଂ ଖେଳାଳି । ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ପୂଜାସ୍ୱିନୀ ନାୟକଙ୍କୁ ଦକ୍ଷିଣ କୋରିଆର ଇକ୍ସାନ-ସିରେ ସେପ୍ଟେମ୍ବର ୨ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠିତ ୨୦୨୫ ପାରା ଫେନସିଂ ବିଶ୍ଵ ଚାମ୍ପିଅନସିପରେ ଭାରତକୁ ପ୍ରତିନିତ୍ଵ କରିବା ପାଇଁ ମନୋନୀତ କରାଯାଇଛି ।

ଗତ ପାଞ୍ଚ ବର୍ଷ ମଧ୍ୟରେ ପୂଜାସ୍ୱିନୀ ନାୟକ ଜାତୀୟ ସ୍ତରରେ ୩୩ଟି ପଦକ ଜିତି ରାଜ୍ୟ ଏବଂ ଜାତି ପାଇଁ ଗୌରବ ଆଣିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଅଂଶଗ୍ରହଣକୁ ସମର୍ଥନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ଥାନୀୟ ସ୍ତରରେ ଉପଲବ୍ଧ ନ‌ଥିବା ଆନ୍ତର୍ଜାତୀୟ ମାନକ ଫିଏ-ଅନୁମୋଦିତ ହୁଇଲଚେୟାର ଫେନସିଂ ଉପକରଣ କ୍ରୟ ପାଇଁ ବି.ବି.ଏସ୍.ଏ. ଯୋଜନା ଅଧୀନରେ ୧,୮୭,୦୩୧ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଓଡ଼ିଶା ସରକାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ସଶକ୍ତ କରିବା ଏବଂ ବିଶ୍ବ ସ୍ତରରେ ସେମାନଙ୍କୁ ଚମକ ଦେଖାଇବା ପାଇଁ ପ୍ରତ୍ୟେକ ସୁଯୋଗ ପାଇବା ନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ । ପୂଜାସ୍ୱିନୀ ନାୟକଙ୍କୁ ତାଙ୍କ ଆଗାମୀ ଚାମ୍ପିଅନସିପ୍ ପାଇଁ ଶୁଭକାମନା ଜଣାଉଛି ଏବଂ ବିଶ୍ଵାସ କରୁଛି ଯେ, ସେ ଭାରତ ଏବଂ ଓଡ଼ିଶାକୁ ଗର୍ବିତ କରିବେ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.