ଆଠଗଡ଼ ୨୮/୧୧ : ଦୁଇମାସ ହେଲା ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ଗ୍ରାମରେ ଦୋକାନ ଘରକୁ ବିବାଦ ଥମିବାର ନାଁ ଧରୁନି । ବିବାଦ ଉଗ୍ରରୂପ ନେଇଛି । ଆଠଗଡ଼ ପୋଲିସର ପାତର ଅନ୍ତର ନୀତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀର କିଛି ମହିଳା ଏବଂ ପୁରୁଷ ଆଠଗଡ଼ ଥାନା ଘେରାଉ କରିବା ସହିତ ହଙ୍ଗାମା କରିଥିଲେ।

ଏ ବାବଦରେ ଆଠଗଡ଼ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛି । ଗ୍ରାମସଭା ଚାଲିଥିବା ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ୪ଜଣ ଆହତ ହେଇଛନ୍ତି । ଏ ସମ୍ପର୍କରେ ଆଠଗଡ଼ ଥାନାରେ ଅଭିଯୋଗ ପରେ ଗୋଟିଏ ଗୋଷ୍ଠୀ ଥାନାରେ ପହଞ୍ଚି ହୋହାଲ୍ଲା କରିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

​​​​​​​

ସୂଚନାଥାଉକି, ଦହିସରା ଗ୍ରାମରେ ମହାକାଳବସ୍ତ ପଞ୍ଚାୟତ ପକ୍ଷରୁ ତିନୋଟି ଦୋକାନ ଘର ନିର୍ମାଣ କରାଯାଇ ଭଡ଼ା ସୂତ୍ରରେ ଦିଆଯାଇଥିଲା। ସେଥୁରୁ ଆଦାୟ ଭଡ଼ା ବାବଦ ଟଙ୍କାର ସିଂହ ଭାଗ ଗ୍ରାମ କମିଟି ନେବା ସହ ଉକ୍ତ ଅର୍ଥରେ ଗ୍ରାମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବ୍ୟୟ କରିଥାଏ। ହେଲେ ଚଳିତ ବର୍ଷ ପଞ୍ଚାୟତରେ ପ୍ରସ୍ତାବ ପାରିତ କରି ସେହି ଗ୍ରାମର ପବିତ୍ର ରାଉତ, ରୋହିଣୀ ରାଉତ ଏବଂ ବିଚିତ୍ରାନନ୍ଦ ରାଉତଙ୍କୁ ମାସିକ ଏକ ହଜାର ଟଙ୍କା ଭଡ଼ା ସୂତ୍ରରେ ନିଲାମ ନେଇଥିଲେ। ହେଲେ ଗ୍ରାମର ଗୋଟିଏ ଗୋଷ୍ଠୀ ଏହାର ବିରୋଧ କରିଥିଲେ। ଫଳରେ ବିବାଦର ସୂତ୍ରପାତ ହୋଇଥିଲା। ସେହି ଦିନଠାରୁ ଦୁଇଗୋଷ୍ଠୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା । ବୁଧବାର ରାତିରେ ଏହି ବିବାଦ ଉଗ୍ରରୂପ ନେଇଥିଲା ।

ବିବାଦର ସମଧାନ ପାଇଁ ରାତିରେ ଗ୍ରାମସଭା ଚାଲିଥିବା ବେଳେ ଉଭୟପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ କଥା କଟାକଟି ପରେ ଏହା ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଉଭୟପକ୍ଷର ୪ଜଣ ଆହତ ହୋଇଛନ୍ତି । ଖବର ପାଇ ବିଳମ୍ବିତ ରାତିରେ ଆଠଗଡ଼ ପୋଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଉଭୟ ଗୋଷ୍ଠୀର ୧୦ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ଘଟଣାକୁ ନେଇ ଦହିସରା ଗ୍ରାମରେ ଉତ୍ତେଜନା ଲାଗି ରହିଛି।