LIVE TV

ବିହାର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ଏଣ୍ଟ୍ରି, କଂଗ୍ରେସ କରିଛି ବଡ଼ ଯୋଜନା

NEWS7
gfx

ନୂଆଦିଲ୍ଲୀ ୨୫।୯: ବିହାର ବିଧାନସଭା ନିର୍ବାଚନ ଜିତିବା ଲାଗି କଂଗ୍ରେସ ଏକ ବଡ଼ ଯୋଜନା କରିଛି। କୁହାଯାଉଛି ବିହାରରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରଣୀ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ରାଜ୍ୟରେ ଆଗାମୀ ଚ୍ୟାଲେଞ୍ଜକୁ ନଜରରେ ରଖି ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ସ୍ୱରକୁ ମଜଭୁତ କରିବାକୁ ସଂକଳ୍ପ କରିଛି। ଆଗାମୀ ଦିନମାନଙ୍କରେ ବିଜେପି ଭଳି କଂଗ୍ରେସ ମଧ୍ୟ ବିହାରର ସବୁ ଜିଲ୍ଲା, ଗାଁ ଓ ବଡ଼ ସହରରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବ। ଏଥିରେ ପାର୍ଟିର ସବୁ ବଡ଼ ନେତା ସାମିଲ ହେବେ।

ଏହି ନେତାମାନେ ସବୁ ଜିଲ୍ଲାରେ କଂଗ୍ରେସ ସପକ୍ଷରେ ପରିବେଶ ସୃଷ୍ଟି କରିବା ସହ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ପ୍ରୋତ୍ସାହିତ କରିବେ। ଏହି ଅବସରରେ ବିଭିନ୍ନସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ବିଜେପି ଓ ଜେଡିୟୁକୁ ଘେରିବାକୁ ମଧ୍ୟ ଚେଷ୍ଟା କରାଯିବ। ପାର୍ଟିର ଏହି ନିର୍ବାଚନୀ ଅଭିଯାନକୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟରେ ଆରମ୍ଭ କରିବେ। ଏଥି ପାଇଁ ପ୍ରିୟଙ୍କା ଗାନ୍ଧି ୨୬ ସେପ୍ଚେମ୍ବର ଶୁକ୍ରବାର ବିହାର ପହଞ୍ଚିବେ।

ଏହି ଅବସରରେ ପ୍ରିୟଙ୍କା ଗାନ୍ଧି ରାଜଧାନୀ ପାଟନା ସ୍ଥିତ ସଦାକତ ଆଶ୍ରମରେ ମହିଳା ସଂବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରାଜ୍ୟରେ ନିର୍ବାଚନ ଘୋଷଣାର ଠିକ୍ ପୂର୍ବରୁ ପ୍ରିୟଙ୍କାଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କାରଯାଉଛି। କାରଣ ବିହାର ରାଜନୀତିରେ ମହିଳାଙ୍କ ଭାଗିଦାରୀ ଓ ସେମାନଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା କଂଗ୍ରେସର ମୁଖ୍ୟ ସଂକଳ୍ପରେ ରହିଛି।

କଂଗ୍ରେସ ନେତାଙ୍କ ଅନୁସାରେ ପ୍ରିୟଙ୍କାଙ୍କ ଏହି ଗସ୍ତ ପାର୍ଟିକୁ ଭୋଟରଙ୍କ ମଧ୍ୟରେ ସକ୍ରିୟତା ଦେଖାଇବା ପାଇଁ ନିର୍ବାଚନ ମୈଦାନରେ ଶକ୍ତି ଦେବାରେ ଅବସର ଦେବ। ପ୍ରିୟଙ୍କା ଗାନ୍ଧି ପାଟନାରେ ଅଙ୍ଗନବାଡି ଓ ଜୀବିକା କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ଏଣୁ ମହିଳା ଭୋଟରଙ୍କ ମଧ୍ୟରେ କଂଗ୍ରେସ ର ପହଞ୍ଚ ମଜଭୁତ କରିବାକୁ ଚେଷ୍ଟା କରିବ। ରାହୁଲ ଗାନ୍ଧିଙ୍କ  ଭୋଟର ଅଧିକାର ଯାତ୍ରାରୁ ମିଳିଥିବା ଉତ୍ସାହକୁ କାୟମ ରଖିବା ଓ ମହିଳା ଏବଂ ବଞ୍ଚିତ ବର୍ଗଙ୍କ ନିକଟକୁ ପହଞ୍ଚ ତିଆରିବାରେ ପ୍ରିୟଙ୍କାଙ୍କ ରାଲିକୁ କଂଗ୍ରେସର ବଡ଼ ଯୋଜନା ମନେ କରାଯାଉଛି।