ପଦ୍ମ ଧରିଲେ ପ୍ରବୋଧ ତିର୍କୀ, ଟିକେଟ୍ କଟିବା ପରେ ୪ ଦିନ ପୂର୍ବେ ଛାଡ଼ିଥିଲେ କଂଗ୍ରେସ

Published By : Prameya-News7 Bureau | April 25, 2024 IST

ସୋନପୁର: ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁରରେ ଆଜି ଆୟୋଜିତ ସମାବେଶକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। 

ନିକଟରେ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ବର୍ଷ ସେପ୍ଟେମ୍ବରରେ କଂଗ୍ରେସରେ ମିଶିଥିବା ପ୍ରବୋଧଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ସୁନ୍ଦରଗଡ଼ର ତଳସରା ସିଟ୍‌ରୁ ପ୍ରାର୍ଥୀ କରିଥିଲା। ପ୍ରବୋଧ ନିଜର ସମର୍ଥକଙ୍କ ସହ ମିଶି ପ୍ରଚାର ବି ଆରମ୍ଭ କରି ଦେଇଥିଲେ । କେଉଁ ବ୍ଲକ ଏବଂ ଗାଁରେ ପ୍ରଚାରକୁ ଜୋରଦାର କରାଯିବ ତାର ବ୍ଲୁ ପ୍ରିଂଟ ମଧ୍ୟ ପ୍ରସ୍ତୁତ କରି ଦେଇଥିଲେ ।

ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ତାଙ୍କ ଟିକେଟ୍ କାଟି ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆଙ୍କ ଭାଇ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିଲା। ଅପ୍ରତ୍ୟାଶିତ ଭାବେ ଟିକେଟ୍ କାଟିବା ପ୍ରବୋଧଙ୍କୁ ବହୁତ ଆଘାତ ଦେଇଥିଲା। ତାଙ୍କ ପ୍ରତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ। ଆଉ ନିଜର କ୍ଷୋଭ ପ୍ରକାଶ କରି ଏପ୍ରିଲ ୨୦ରେ ଦଳ ଛାଡ଼ିଥିଲେ ପ୍ରବୋଧ ତିର୍କୀ। ଆଉ ଆଜି ସୋନପୁରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମାବେଶରେ ବିଜେପିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ । ରାଜନୀତିରେ ତଳସରା ଅଂଚଳ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ବି ଛାଡି ଦେଇଥିଲେ । 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.