ଭୁବନେଶ୍ଵର: ଦୀଘା ଜଗନ୍ନାଥ ଧାମକୁ ନେଇ ତେଜିଲା ରାଜନୀତି । ହୁଲସ୍ତୁଲ୍ ହେଲାଣି ପଶ୍ଚିମବଙ୍ଗରୁ ଓଡ଼ିଶା। ସବୁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ । ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ କହିଛନ୍ତି ମମତାଙ୍କ ଇଶାରାରେ ଦାରୁ ଚୋରି ହୋଇଛି । ଏପଟେ ଓଡ଼ିଶାରେ ମଧ୍ୟ ମମତାଙ୍କ ଏଭଳି କାର୍ଯ୍ୟକୁ ଉଭୟ ବିଜେଡି ଓ ବିଜେପି ନେତା ବିରୋଧ କରିଥିବା ବେଳେ ପରସ୍ପରକୁ ତେରାଛା ବାଣ ବି ମାରିଛନ୍ତି ।
ଗତକାଲି ବିଜେପି ନେତ୍ରୀ ନାଜିଆ ଇଲାହୀ ଖାର୍ , ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି ମମତାଙ୍କୁ ନିଶାନା କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଦୀଘାରେ ଜଗନ୍ନାଥ ମନ୍ଦିର କରି ଏହାକୁ ଜଗନ୍ନାଥ ଧାମ ବୋଲି ଆଖ୍ୟା ଦେବା ଏବଂ ପୁରୀର ଦଇତାପତିଙ୍କ ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ବିଗ୍ରହ ନିର୍ମାଣ କରି ମଗାଇବା ପଛରେ ମମତା ବାନାର୍ଜୀଙ୍କ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ।
ଶୁଭେନ୍ଦୁ ଅଧିକାରୀ ଏମିତି ବି କହିଛନ୍ତି ଯେ, ମମତାଙ୍କ ଇଶାରାରେ ଦାରୁ ଚୋରି ହୋଇଛି । ରାଜେଶ ଦଇତାପତି କିଏ ? ଯିଏ ମମତାଙ୍କ ଇଶାରାରେ ଏସବୁ କାମ କରିଛନ୍ତି । ତେଣୁ ରାଜେଶ ଦଇତାପତିଙ୍କୁ ତଦନ୍ତ ପରିସରକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଗତକାଲି ବିଜେପି ନେତ୍ରୀ ନାଜିଆ ଇଲାହୀ ଖାର୍ କହିଥିଲେ ଯେ, ଦୀଘାକୁ ଜଗନ୍ନାଥ ଧାମ ଆଖ୍ୟା ଦେବା ପଛରେ ମମତାଙ୍କ ମନ୍ଦ ଉଦେଶ୍ୟ ରହିଛି । ମମତା ଭୋଟ୍ ବ୍ୟାଙ୍କ ରାଜନୀତି କରିବାକୁ ଯାଇ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ କହିଥିଲେ ।
ତେବେ ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁସାରେ ଏ ରାଜେଶ ଦଇତାପତି କିଏ ? ଏବେ ଘଟଣାର ତଦନ୍ତ କରୁଥିବା ଶ୍ରୀମନ୍ଦିର ପ୍ରଶାସନ ଏହି ରାଜେଶ ଦଇତାପତିଙ୍କୁ ନେଇ ତଦନ୍ତ କରିବ କି ? ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ରାଜନୈତିକ ସ୍ତରରେ ମମତାଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରାଯାଇଛି । ମମତା ଓ ଦଇତାପତିଙ୍କ ବିରୋଧରେ ଆକ୍ସନକୁ ନେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ ନେତା । ବିଜେଡି କହିଛି ଆଇନ୍ ମନ୍ତ୍ରୀ ଖାଲି ତଦନ୍ତ କରିବା କଥା କହିଦେଲେ ଚଳିବନି ।
ଯଦି ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଦୋଷ କରିଛନ୍ତି ତାହେଲେ ତାଙ୍କ ବିରୋଧରେ ଆକ୍ସନ ହେଉ । କାରଣ ଜଗନ୍ନାଥଙ୍କ ଉର୍ଦ୍ଧ୍ବରେ କେହି ନୁହନ୍ତି । ଜବାବରେ ଆଇନ୍ ମନ୍ତ୍ରୀ କହିଛନ୍ତି ୨୪ବର୍ଷ ଭିତରେ ବିଜେଡି ସରକାର କିଛି କରିନାହାନ୍ତି । ତାଙ୍କ ସରକାର ସମୟରେ ବ୍ରହ୍ମ ବିଭ୍ରାଟରୁ ଆରମ୍ଭ କରି କ’ଣ କ’ଣ କରୁଥିଲେ ଓଡ଼ିଶାବାସୀ ସବୁ ଜାଣିଛନ୍ତି । ଆମ ସରକାର ଏ ଦିଗରେ ଯାହା ପଦକ୍ଷେପ ନେବା କଥା ନେଉଛନ୍ତି ।
ପୁରୀ ଜଗନ୍ନାଥ ଧାମ ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସ ଯୋଡ଼ି ହୋଇ ରହିଛି । ଏମିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି ଦଇତାଙ୍କୁ ଧରି ଯେଭଳି କୁତ୍ସିତ ଖେଳ ଖେଳିବାକୁ ପ୍ରୟାସ କରିଛନ୍ତି ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।