ଏକା ଲଢି ଜିତିପାରିବେନି ଟ୍ରମ୍ପ୍, ଇରାନକୁ ଦଖଲ କରିବା ସହଜ ନୁହେଁ...ଏବେବି ତେହେରାନ ଶକ୍ତିଶାଳୀ

NEWS7
politics-continue-in-highcourt-bench-statement-by-odisha-cm

ତେହେରାନ, ୧୭ /୦୩:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକାକୀ ଯୁଦ୍ଧ ଜିତିପାରିବେ ନାହିଁ । ତାଙ୍କୁ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଇରାନ ପାଖରେ ଏବେ ବି ବାଜି ପଲଟାଇ ଦେବାର କ୍ଷମତା ରହିଛି ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ,ଇରାନ ଯଦି ଯୁଦ୍ଧ ଜାରି ରଖେ,ଜାହାଜଗୁଡ଼ିକୁ ବାରମ୍ବାର ଟାର୍ଗେଟ୍ କରେ କିମ୍ବା ଜବାବୀ ହମଲା କରେ,ତେବେ ବାସ୍ତବରେ ଯୁଦ୍ଧ ଥମିବ ନାହିଁ । ଇରାନୀ ନୌସେନାର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି । ତାହାର ଅନେକ ମିସାଇଲ ଶେଷ ହୋଇଛି । ଅନେକ ବରିଷ୍ଠ ନେତା ପ୍ରାଣ ହରାଇଛନ୍ତି । ତଥାପି ଟ୍ରମ୍ପଙ୍କ ବଡ଼ ରାଜନୈତିକ ଉଦ୍ଦେଶ୍ୟ ବାସ୍ତବ ରୂପ ନେଇପାରି ନାହିଁ ।

ଆହୁରି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ୧୭ ଦିନ ଧରି ଯୁଦ୍ଧ ଚାଲିଛି । କିନ୍ତୁ ଇରାନରେ କ୍ଷମତା ପରିବର୍ତ୍ତନ ହୋଇନାହିଁ । ଏବେ ବି ପୁରୁଣା ଶାସନ କାଏମ ରହିଛି । ଏହାଛଡ଼ା ଇରାନ ହୋର୍ମୁଜ ପ୍ରଣାଳୀ ବନ୍ଦ କରିଦେଇ ବିଶ୍ୱ ତୈଳ ବଜାରରେ ହଇଚଇ ସୃଷ୍ଟି କରିଛି । ଏବେ ବି ଏହା ପ୍ରଭାବୀ ରହିଛି ।

ଆମେରିକାର ଟାର୍ଗେଟରେ ସିଏଫଜେଡ୍

ସୋମବାର ଆମେରିକାର ଯୁଦ୍ଧ ବିମାନ ଇରାନର ଚାବହାର ମୁକ୍ତ ବାଣିଜ୍ୟ ଶିଳ୍ପାଞ୍ଚଳ ବା ସିଏଫଜେଡ୍ ନିକଟରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ କରିଛି । ସିଏଫଜେଡ୍ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଥିବା ସାମରିକ ଘାଟିକୁ କରାଯାଇଛି ଟାର୍ଗେଟ୍ । ହମଲା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ଚାବହାର ମୁକ୍ତ ବାଣିଜ୍ୟ ଜୋନ ଇରାନର ଦକ୍ଷିଣ ପୂର୍ବ ପ୍ରଦେଶ ସିସ୍ତାନ ଓ ବେଲୁଚିସ୍ତାନରେ ରହିଛି । ଏହା ପାକିସ୍ତାନ ସୀମା ନିକଟରେ ଅବସ୍ଥିତ । ଟ୍ରେଡ୍ ଜୋନର ଠିକ୍ ପଛରେ ଥିବା କୋହ ଲାକୀସ୍ଥିତ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି । ବିଦେଶୀ ନିବେଶ ଟାଣିବା ଲାଗି ୧୯୯୨ରେ ଚାବହାର ସିଏଫଜେଡ୍ ପ୍ରତିଷ୍ଠା ହୋଇଥିଲା । ବିଗତ କିଛି ଦଶନ୍ଧି ଧରି ଏହା ଇରାନ ଲାଗି ଏକ ପ୍ରମୁଖ ଶିଳ୍ପାଞ୍ଚଳ ଓ ଟ୍ରାଞ୍ଜିଟ୍ ହବ୍ ଭାବେ କାର୍ଯ୍ୟ କରୁଛି । ଏହାର ସୁରକ୍ଷା ସକାଶେ ସ୍ୱଳ୍ପ ଦୂରରେ ସାମରିକ ଘାଟି ବି ପ୍ରତିଷ୍ଠା ହୋଇଥିଲା । ଏହା ଉପରେ ଆକ୍ରମଣ ହେଲେ ଇରାନର ଅର୍ଥ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ବଡ଼ ଧକ୍କା ହେବ ।