‘ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ’: ସୋମନାଥ ‘ସ୍ବାଭିମାନ ପର୍ବ’ରେ ପିଏମ ମୋଦୀ, ଶେୟାର କଲେ ଫଟୋ

NEWS7
police-and-villagers-clash-during-marijuana-raid

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟରେ ପହଞ୍ଚିଛନ୍ତି । ୩ ଦିନିଆ ଗୁଜରାଟ ଗସ୍ତରେ ମୋଦୀ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ମୋଦୀ ଗିର ସୋମନାଥରେ ପହଞ୍ଚିଛନ୍ତି । ସେଠାରେ ବହୁ ସଂଖ୍ୟକ ଲୋକ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି । ସୋମନାଥ ‘ସ୍ବାଭିମାନ ପର୍ବ’ ଆୟୋଜିତ ହୋଇଥିବା ବେଳେ ୭୨ ଘଣ୍ଟା ଧରି ॐ ଜପ ହେବ । ଆଜି ରାତିରେ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମୋଦୀ ॐ ଜପ କରିବା ପରେ ଡ୍ରୋନ୍ ଶୋ’ ଦେଖିବେ । ଏହି ଶୋ’ରେ ୩୦୦୦ ଡ୍ରୋନ୍ ସାମିଲ ହେବ । ସୋମନାଥରେ ପିଏମ ମୋଦୀ ରୋଡ ଶୋ’ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦୀ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ସୋମନାଥକୁ ଆସିବା ସୌଭାଗ୍ୟର କଥା । ଏହା ଆମର ସଭ୍ୟତାଗତ ବୀରତାର ପ୍ରତୀକ । ସୋମନାଥ ସ୍ବାଭିମାନ ପର୍ବ ଆୟୋଜିତ ହୋଇଛି । ୧୦୨୬ରେ ସୋମାନାଥ ମନ୍ଦିରରେ ପ୍ରଥମ ଆକ୍ରମଣକୁ ୧୦୦୦ ବର୍ଷ ପୂରିଛି । ଏଠାରେ ସ୍ନେହପୂର୍ଣ୍ଣ ସ୍ବାଗତ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି ।’ ତେବେ ୭୫ ବର୍ଷ ପୂର୍ବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଦ୍ୟମରେ ନୂଆ ରୂପ ପାଇଛି ସୋମନାଥ ମନ୍ଦିର । କେବଳ ଗଜନୀ ଆକ୍ରମଣର ୧୦୦୦ ବର୍ଷ ନୁହେଁ, ପୁନରୁଦ୍ଧାରର ୭୫ ବର୍ଷ ପୂରଣ ଅବସରରେ ସୋମାନଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

 

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏବଂ କାଲି ସୋମନାଥରେ ରହିବେ । ସେ ସୋମାନାଥ ସ୍ବାଭିମାନ ପର୍ବରେ ସାମିଲ ହୋଇଛନ୍ତି । ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ଏହି ପର୍ବ ଜାନୁଆରୀ ୧୧ ଯାଏଁ ଚାଲିବ । ଜାନୁଆରୀ ୧୧ ସକାଳେ ଶୌର୍ଯ୍ୟ ଯାତ୍ରାରେ ପିଏମ ମୋଦୀ ସାମିଲ ହେବେ । ଏହି ଯାତ୍ରାରେ ୧୦୮ ପ୍ରତୀକାତ୍ମ ଘୋଡ଼ା ସାମିଲ ହେବେ । ଏହା ପରେ ସକାଳ ୧୦. ୧୫ରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।

ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ, ସକାଳ ୧୧ଟାରେ ମୋଦୀ ସୋମନାଥରେ ଆୟୋଜିତ ହେବାକୁ ଥିବା ଏକ ସାର୍ବଜନୀନ ସଭାରେ ଯୋଗ ଦେବେ ଏବଂ ସମ୍ବୋଧନ କରିବେ । ତେବେ ସୋମନାଥ ସ୍ବାଭିମାନ ପର୍ବ, ମହମୁଦ ଗଜନୀ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି । ଏହି ଅବସରରେ ସାରା ଦେଶରୁ ଶତାଧିକ ସାଧୁସନ୍ଥ ସୋମନାଥରେ ପହଞ୍ଚିଛନ୍ତି । ସ୍ବାଭିମାନ ପର୍ବରେ ॐ ଜପ ଆରମ୍ଭ ହୋଇଯାଇଛି ଏବଂ ଏହି ଜପ ଦୀର୍ଘ ୭୨ ଘଣ୍ଟା ଚାଲିବ । ଅତୀତରେ ସୋମନାଥ ମନ୍ଦିର ଅନେକ ଆକ୍ରମଣର ଶିକାର ହୋଇଥିଲେ ସୁଦ୍ଧା, ଆଜି ବି ଏହି ମନ୍ଦିର ଆସ୍ଥା, ଦୃଢ଼ତା ଏବଂ ରାଷ୍ଟ୍ରୀୟ ଗୌରବର ପ୍ରତୀକ ଭାବରେ ପୂଜା ପାଉଛି ।

ସୋମବାର ଦିନ ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କୁ ଆତିଥ୍ୟ ଦେବେ। ଦୁଇ ନେତା ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ଦ୍ୱିପାକ୍ଷିକ ଆଲୋଚନା କରିବା ପୂର୍ବରୁ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗଦେବେ। ସେମାନେ ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାକୁ ୨୫ ବର୍ଷ ପୂର୍ତ୍ତି ଅବସରରରେ ପ୍ରଗତି ସମୀକ୍ଷା କରିବେ । ତା’ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ଏବଂ ଏକ ମିଳିତ ପ୍ରେସ୍ ବିବୃତ୍ତି ପ୍ରଦାନ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ନେତାମାନେ ବ୍ୟବସାୟିକ ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ।