ନୂଆଦିଲ୍ଲୀ ୨୫/୧୦: ଥାଇଲାଣ୍ଡ ରାଣୀ ମାଆ ସିରିକିଟ୍‌ଙ୍କ ମୃତ୍ୟୁ । ୯୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଥାଇ ରୟାଲ୍ ହାଉସହୋଲ୍ଡ ବ୍ୟୁରୋ ଶନିବାର ଦିନ ଏନେଇ ନିଶ୍ଚିତ କରିଛି। ବ୍ୟାଙ୍କକର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୨ ମସିହାରେ ଷ୍ଟ୍ରୋକ୍ ହେବା ପରଠାରୁ ସିରିକିଟ୍ ସାଧାରଣ ଜୀବନରୁ ପ୍ରାୟତଃ ଅନୁପସ୍ଥିତ ଥିଲେ ।

ଗତ କିଛି ବର୍ଷ ଧରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲେ । ସାର୍ବଜନୀନ ଜୀବନରୁ ଦୂରେଇ ଥିଲେ । ସେ ଗରିବମାନଙ୍କୁ ସାହାଯ୍ୟ କରିବା, ପାରମ୍ପରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିଲେ। ଅକ୍ଟୋବର ୧୭ତାରିଖରୁ ରକ୍ତ ସଂକ୍ରମଣରେ ପୀଡିତ ଥିଲେ ରାଣୀ । ଚିକିତ୍ସା ସତ୍ତ୍ୱେ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ତାଙ୍କ ସ୍ୱାମୀ, ରାଜା ଭୂମିବୋଲ୍ ଆଦୁଲ୍ୟାଦେଜ୍ ଙ୍କର ଅକ୍ଟୋବର ୨୦୧୬ରେ ମୃତ୍ୟୁ ହୋଇଥିଲା।

ଗ୍ରାମାଞ୍ଚଳର ଗରିବମାନଙ୍କୁ ସାହାଯ୍ୟ କରିବା, ପାରମ୍ପରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିଲେ। ତାଙ୍କ ୮୮ତମ ଜନ୍ମଦିନରେ, ତାଙ୍କ ପୁଅ, ରାଜା ମହା ଭାଜିରାଲଙ୍ଗକର୍ଣ୍ଣ ଏବଂ ଅନ୍ୟାନ୍ୟ ରାଜକୀୟ ସଦସ୍ୟମାନେ ତାଙ୍କୁ ହସ୍ପିଟାଲରେ ଭେଟିଥିଲେ । ତାଙ୍କର ଜନ୍ମଦିନ, ଅଗଷ୍ଟ ୧୨ ତାରିଖକୁ ସାରା ଦେଶରେ ମାତୃ ଦିବସ ଭାବରେ ପାଳନ କରାଯାଏ । ସିରିକିଟ୍ କିଟିଆକାରା ଅଗଷ୍ଟ ୧୨, ୧୯୩୨ରେ ବ୍ୟାଙ୍କକର ଏକ ଧନୀ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ପିତାମାତା ଉଭୟ ଥାଇଲ୍ୟାଣ୍ଡର ବର୍ତ୍ତମାନର ଚକ୍ରୀ ରାଜବଂଶର ପୂର୍ବତନ ରାଜାଙ୍କ ସହ ସମ୍ପର୍କୀୟ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ସେ ତାଙ୍କ ପିତାଙ୍କ ସହିତ ଫ୍ରାନ୍ସକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କ ପିତା ରାଷ୍ଟ୍ରଦୂତ ଥିଲେ । ସେଠାରେ ୧୬ ବର୍ଷ ବୟସରେ, ସେ ରାଜା ଭୂମିବୋଲଙ୍କୁ ଭେଟିଥିଲେ। ରାଜା ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ, ସେ ତାଙ୍କ ଯତ୍ନ ନେବା ପାଇଁ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ । ଧୀରେ ଧୀରେ ସେମାନଙ୍କ ଭଲପାଇବା ଅତି ନୀବିଡ ହୋଇଥିଲା ।

ପରେ ୧୯୫୦ ମସିହାରେ ବିବାହ କରିଥିଲେ। ୧୯୭୬ ମସିହାରେ, ସେ ସପୋର୍ଟ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଯାହା ଗରିବ ପରିବାରଗୁଡ଼ିକୁ ରେଶମ ବୟନ, ଅଳଙ୍କାର ତିଆରି, ଚିତ୍ରକଳା ଏବଂ ମାଟି ପାତ୍ର ଭଳି ପାରମ୍ପରିକ କଳାରେ ତାଲିମ ଦେଇଥିଲା। ପରିବେଶ କ୍ଷେତ୍ରରେ ତାଙ୍କ କାମ ପାଇଁ ତାଙ୍କୁ ସବୁଜ ରାଣୀ ଭାବରେ ମଧ୍ୟ ଜଣାଶୁଣା କରାଯାଇଥିଲା।