ନୂଆଦିଲ୍ଲୀ : ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀ ପାଇଁ ଗତ ସପ୍ତାହ ଖୁବ୍‌ ଦୁଃଖପୂର୍ଣ୍ଣ ରହି ଥିଲା। ଗତ ଶୁକ୍ରବାର ଆସାମର ରକଷ୍ଟାର୍‌ ଓ ପ୍ରସିଦ୍ଧ ସିଙ୍ଗର ଜୁବିନ ଗର୍ଗଙ୍କ ହଠାତ୍‌ ମୃତ୍ୟୁ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି। ଜୁବିନ ୧୯ ସେପ୍ଟେମ୍ୱରରେ ଶେଷ ନିଃଶ୍ୱାସ ନେଇ ଥିଲେ। ସୂଚନା ଆଧାରରେ ସିଙ୍ଗାପୁରରେ ସମୁଦ୍ରରେ ବୁଡ଼ି ଯାଇ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇ ଥିଲା , ଯାହାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ଜୁବିନ ଗର୍ଗଙ୍କୁ ରାଜକୀୟ ସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇ ଥିଲା। ସମସ୍ତେ ଜୁବିନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି କ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୁବିନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଆଜି ପିଏମ୍ ନରେନ୍ଦ୍ର ମୋଦି ନିଜର କାର୍ଯ୍ୟକ୍ରମରେ ‘ ମନ୍ କୀ ବାତ୍‌’ର ୧୨୬ତମ ଏପିସୋଡ୍‌ରେ ଜୁବିନ ଗର୍ଗଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଛନ୍ତି। ପିଏମ୍ ମୋଦି କହିଛନ୍ତି , ସାଥିମାନେ , କିଛି ଦିନ ପୂର୍ବେ ଆସାମରେ ଭୂପେନ ହଜାରିକାଙ୍କ ଜନ୍ମଦିନ ପାଳନ କରାଯାଉଥିଲା ଏବଂ ଏହି ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଲା। ଜୁବିନ ଗର୍ଗଙ୍କ ହଠାତ୍‌ ଅସମୟରେ ନିଧନରେ ଲୋକେ ଶୋକ ବ୍ୟକ୍ତ କରୁଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟକ ଥିଲେ, ଯିଏ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଜୁବିନ ଗର୍ଗଙ୍କ ଆସାମର ସଂସ୍କୃତି ସହ ଖୁବ୍‌ ଭଲ ସଂପର୍କ ଥିଲା। ସେ ସର୍ବଦା ଆମର ହୃଦୟରେ ରହିବେ। ତାଙ୍କର ସଙ୍ଗୀତ ଆଗାମୀ ପିଢି ପ୍ରେରଣା ଦେବ। ଜୁବିନ ଆସାମୀ ସଂସ୍ତୃତିର ସବୁଠୁ ଉଜ୍ଜ୍ୱଳତମ ରତ୍ନ , କୋହିନୂର ଥିଲେ। ହେଲେ ସେ ଶାରୀରିକ ଭାବେ ଆମ ମଧ୍ୟରୁ ଚାଲିଗଲେ , କିନ୍ତୁ ସେ ସର୍ବଦା ଆମର ହୃଦୟରେ ରହିବେ।   

ନିକଟରେ କଙ୍ଗନା ରଣାୱତ ମଧ୍ୟ ଜୁବିନ ଗର୍ଗଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଦେଇ ଥିଲେ। କହି ରଖୁଛୁ କି, କଙ୍ଗନା ରଣାୱତଙ୍କର ଡେବ୍ୟୁ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ର ହିଟ୍‌ ଗୀତ ‘ ୟା ଅଲୀ ... ’ ଜୁବିନ ଗର୍ଗ ଗାଇ ଥିଲେ, ଏହି ଗୀତରେ ଜୁବିନଙ୍କୁ ସିନେମା ଜଗତରେ ବଡ଼ ପରିଚୟ ମିଳି ଥିଲା।