ଗୋଆ:ବିଶ୍ୱର ସବୁଠାରୁ ବଡ଼ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୭୭ ଫୁଟର ଏହି କାଂସ୍ୟ ପ୍ରତିମାକୁ ନିର୍ମାଣ କରିଛନ୍ତି ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାର।ଦକ୍ଷିଣ ଗୋଆର ଐତିହାସିକ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଏହାକୁ ପ୍ରତିଷ୍ଠା କରାଯାଇଥିବା ବେଳେ ଶୁକ୍ରବାର ମୋଦୀ ଏହାକୁ ଅନାବରଣ କରିଛନ୍ତି।

ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପରତାଗାଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ଟି ପ୍ରମୁଖ ଆହ୍ୱାନ ଦେଇଛନ୍ତି। ଜଳ ସଂରକ୍ଷଣ, ଅଧିକ ଗଛ ଲଗାଇବା, ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧ ହେବା, ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଓ ନିଜେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

କେବଳ ସେତିକି ନୁହେଁ, ଭାରତର ବିଭିନ୍ନ ଅଂଶକୁ ଅନୁସନ୍ଧାନ କରିବା ଓ ଭଲଭାବରେ ବୁଝିବା ସହିତ ଦେଶ ଭ୍ରମଣରେ ସାମିଲ ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। ଏଥିସହିତ ପ୍ରାକୃତିକ କୃଷି ପଦ୍ଧତିକୁ ସାମିଲ କରିବା ବାଜରା, ମାଣ୍ଡିଆ ବ୍ୟବହାର ବୃଦ୍ଧି କରିବା ସହିତ ତେଲ ବ୍ୟବହାରକୁ ୧୦% ହ୍ରାସ କରି ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ସୁସ୍ଥ ରହିବାକୁ ହେଲେ ଦୈନନ୍ଦିନ ଜୀବନରେ ଯୋଗ ଏବଂ କ୍ରୀଡାକୁ ସାମିଲ କରିବା ଏବଂ ଗରିବମାନଙ୍କୁ ଯେକୌଣସି ପ୍ରକାରେ ସାହାଯ୍ୟ କରନ୍ତୁ - ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଗୁଡ଼ିକୁ ଅତ୍ୟାବଶ୍ୟକ ସଂକଳ୍ପ ବୋଲି ମୋଦୀ କହିଛନ୍ତି।। ପରିବେଶ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରିବା ଜାତୀୟ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ ଗୁରୁତ୍ୱ ଦେଇଥିଲେ।

ଦକ୍ଷିଣ ଗୋଆରେ ଉତ୍ସବ ପାଳନ ଅବସରରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠର ୫୫୦ତମ ବର୍ଷ ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ମଧ୍ୟ ଉନ୍ମୋଚନ କରିଥିଲେ ମୋଦୀ।