News7 Logo

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ କଥା ହେଲେ ପିଏମ୍ ମୋଦୀ, ୟୁକ୍ରେନ ସଂଘର୍ଷ ଉପରେ କଲେ ଚର୍ଚ୍ଚା

NEWS7
modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜ ଇଟାଲୀ ସମକକ୍ଷ ଜର୍ଜିଆ ମେଲୋନୀଙ୍କ ସହ କଥାବର୍ତ୍ତା କରିଛନ୍ତି । ଭାରତ ଓ ୟୁରୋପୀୟ ୟୁନିୟନ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ଚର୍ଚ୍ଚା କରିଛନ୍ତି । ଏହାସହ ୟୁକ୍ରେନ ସଂଘର୍ଷକୁ ଶେଷ କରିବା ଉପାୟ ସହ ଭାରତ-ମଧ୍ୟପୂର୍ବ-ୟୁରୋପ ଆର୍ଥିକ କରିଡରର କ୍ରିୟାନ୍ୱୟନ ଉପରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନୀଙ୍କ ସହ ଭଲ ଆଲୋଚନା ହୋଇଛି । ଆମେ ଭାରତ-ଇଟାଲୀ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଛୁ । ଏହାସହ ୟୁକ୍ରେନ ବିବାଦ ସମାପ୍ତ କରିବାରେ ମିଳିତ ଆଗ୍ରହ ପ୍ରକାଶ କରିଛୁ । ଭାରତ-ୟୁରୋପୀୟ ସଂଘ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ଉପରେ ଆଧାରିତ ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢାଇବା ଏବଂ IMEEC ପଦକ୍ଷେପ ଅଧୀନରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବାରେ ଇଟାଲୀର ସକ୍ରିୟ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମେଲୋନୀଙ୍କୁ ଧନ୍ୟବାଦ ଜଣାଇଛି ।

ଭାରତ ଓ ୟୁରୋପୀୟ ସଂଘ ଚଲିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)କୁ ଚୂଡ଼ାନ୍ତ ରୂପ ଦେବା ଉପରେ ବିଚାର କରୁଛନ୍ତି । ଉଭୟ ପକ୍ଷ ଚଳିତ ସପ୍ତାହରେ ନୂଆଦିଲ୍ଲୀରେ ୧୩ତମ ପର୍ଯ୍ୟାୟ ଆଲୋଚନା ହେବ । ଭାରତ ଓ ୟୁରୋପୀୟ ସଂଘ ଆଠ ବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ୨୦୨୨ ଜୁନରେ ଏଫଟିଏ ପାଇଁ ଆଲୋଚନା ଆରମ୍ଭ କରିଥିଲେ । IMEEC ଯୋଜନାକୁ ୨୦୨୩ରେ ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ବେଳେ ଚୂଡ଼ାନ୍ତ ରୂପ ଦିଆଯାଇଥିଲା ।