ନୂଆଦିଲ୍ଲୀ: ଯମୁନାରେ ବିଷ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଡ଼ା ଜବାବ ଦେଇଛନ୍ତି । ଦିଲ୍ଲୀର କର୍ତାର୍ ନଗରରେ ସଂକଳ୍ପ ରାଲିକୁ ସମ୍ୱୋଧିତ କରି ପିଏମ୍ ମୋଦୀ ଦୂଷିତ ଯମୁନାକୁ ନେଇ ଆମ୍ ଆଦାମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ଯମୁନା ନଦୀରେ ବିଷ ମିଶାଇବା ଅଭିଯୋଗକୁ ହରିୟାଣାର ଅପମାନ ଦର୍ଶାଇ ପିଏମ୍ ମୋଦୀ କହିଛନ୍ତି, ସେ ମଧ୍ୟ ଏହି ପାଣି ପିଅନ୍ତି, ଜଜ୍ ଏବଂ ବିଦେଶୀ ରାଷ୍ଟ୍ରଦୂତ ମଧ୍ୟ ଏହି ପାଣିକୁ ପିଅନ୍ତି, କଣ ଆମ ସମସ୍ତଙ୍କୁ ମାରିବା ପାଇଁ ବିଷ ମିଶାଯାଇଛି ?
ପିଏମ୍ ମୋଦୀ କହିଛନ୍ତି ନିଜର ରାଜନୀତିକ ସ୍ୱାର୍ଥରେ ଆପ-ଦା ପୁଣି ଏକ ଘୋର ପାପ କରିଛି । ଏହି ପାପ ପାଇଁ କେବେ ବି କ୍ଷମା କରାଯାଇପାରିବ ନାହିଁ । ଇତିହାସ ବି କେବେ କ୍ଷମା ଦେବନି । ଆଜି ଆପଣଙ୍କ ଚେଲା ଏହି କଥାକୁ ଚାପିବା ପାଇଁ ଉଦ୍ୟମ କରିପାରନ୍ତି, ଆପଣଙ୍କ ଇକୋ-ସିଷ୍ଟମ ଏହା ଉପରେ କପଡ଼ା ଢାଙ୍କିବା ପାଇଁ ଉଦ୍ୟମ କରିପାରନ୍ତି, କିନ୍ତୁ ଦେଶ ଭୁଲିପାରିବ ନାହିଁ, ଦିଲ୍ଲୀ କେବେ ଭୁଲି ପାରିବ ନାହିଁ । ହରିୟାଣାର ପିଲା ପିଲା ଭୁଲି ପାରିବେ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିୟାଣା ଲୋକଙ୍କ ଉପରେ ଅତି ନିନ୍ଦନୀୟ ଅଭିଯୋଗ କରିଛନ୍ତି । ପରାଜୟର ଭୟରେ ଆପ-ଦା ବିଚଳିତ ହୋଇଛି । ଆପଣ କୁହନ୍ତୁ, ହରିୟାଣା ଲୋକ କଣ ଦିଲ୍ଲୀରୁ ଅଳଗା କି ? କଣ ହରିୟାଣା ଲୋକଙ୍କ ପରିବାର, ପିଲା ଏବଂ ସମ୍ପର୍କୀୟ ଦିଲ୍ଲୀ ରହୁନାହାନ୍ତି ? କଣ ହରିୟାଣା ନିଜ ପିଲାଙ୍କ ପାଣିରେ ବିଷ ମିଶାଇ ପାରିବ ?'
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଏବଂ ଦିଲ୍ଲୀରେ ରହୁଥିବା ସବୁ ଲୋକ ହରିୟାଣାରୁ ଆସୁଥିବା ପାଣି ପିଉଛନ୍ତି । ଗତ ୧୧ ବର୍ଷ ହେଲା ଏଇ ପ୍ରଧାନମନ୍ତ୍ରୀ ବି ସେହି ପାଣି ପିଉଛି । ହରିୟାଣାରୁ ଆସୁଥିବା ସେହି ପାଣିକୁ ଦିଲ୍ଲୀରେ ରହୁଥିବା ଆମ ଜଜ୍, ସମସ୍ତ ସମ୍ମାନୀତ ସଦସ୍ୟ ପିଅନ୍ତି । ଯେଉଁ ବିଦେଶୀ ରାଷ୍ଟ୍ରଦୂତ ଅଛନ୍ତି ସେମାନେ ବି ଏହି ପାଣିକୁ ପିଉଛନ୍ତି । କେହି ଏହା ଭାବି ପାରିବ କି ମୋଦୀକୁ ବିଷ ଦେବା ପାଇଁ ହରିୟାଣା ବିଜେପି ସରକାର ପାଣିରେ ବିଷ ମିଶାଇ ପାରିବ । କଣ କହୁଛନ୍ତି ସେମାନେ ?
ପିଏମ୍ ମୋଦୀ କହିଛନ୍ତି ଯେ ହରିୟାଣାର ଲୋକ ଧାର୍ମିକ ଏବଂ ଦେଶଭକ୍ତ । ସେ କହିଛନ୍ତି ଯେ ହରିୟାଣରେ ଏପରି କୌଣସି ପରିବାର ନାହିଁ, ଯାହାର ପୁଅ ସୀମାରେ ନଥିବ । କଣ ଏପରି ଲୋକଙ୍କ ବିରୋଧରେ ବିଷ ମିଶାଇବା ଅଭିଯୋଗ କରିପାରିବା ? ଏହି ଦେଶ ଏପରି ଯେଉଁଠି ପଶୁ ପକ୍ଷୀଙ୍କୁ ପାଣି ଦିଆଯାଏ । ଉଲ୍ଲେଖଯୋଗ୍ୟ ଯେ ସୋମବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ହରିୟାଣାର ବିଜେପି ସରକାର ଯମୁନାରେ ବିଷ ମିଶାଇଛି । ସୀମାରେ ସେହି ପାଣିକୁ ଠିକ୍ ସମୟରେ ଅଟକାଇ ନଥିଲେ ଦିଲ୍ଲୀରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଦାବି ଉପରେ ପ୍ରମାଣ ମାଗିଛନ୍ତି । ଏହାସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦେଇଛନ୍ତି ।