ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ନେଇ ସୋମବାର ସଂଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକର ଅଧ୍ୟକ୍ଷତା କରିବେ । ଏଥିରେ କିଛି ମନ୍ତ୍ରଣାଳୟର କାର୍ଯ୍ୟ, ମନ୍ତ୍ରୀମାନଙ୍କ ସହ ଜଡ଼ିତ ପ୍ରଦର୍ଶନ ଉପରେ ଆଲୋଚନା ହେବ । ଏହି ବୈଠକକୁ ଆଗାମୀ ସମୟରେ ହେବାକୁ ଥିବା କ୍ୟାବିନେଟ୍ ଅଦଳବଦଳ ସହ ଯୋଡ଼ି ମଧ୍ୟ ଦେଖାଯାଉଛି ।

ଏହି ବୈଠକରେ ସାମାଜିକ ନ୍ୟାୟ ଏବଂ ଜନକଲ୍ୟାଣ ସହ ଜଡ଼ିତ କାମ ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି କାରଣରୁ ସେହି ରାଷ୍ଟ୍ରମନ୍ତ୍ରୀ ଏବଂ ସ୍ୱାଧୀନ ଦାୟିତ୍ୱ ଥିବା ରାଷ୍ଟ୍ରମନ୍ତ୍ରୀଙ୍କୁ ବି ଡକା ଯାଇଛି, ଯେଉଁମାନଙ୍କ ବିଭାଗ ସିଧା ସମାଜ କଲ୍ୟାଣ ସହ ଜଡ଼ିତ ରହିଛି । ରିପୋର୍ଟ ଅନୁସାରେ, ଆଗାମୀ ଦିନରେ ଅନ୍ୟ ମନ୍ତ୍ରାଳୟ ଏବଂ ମନ୍ତ୍ରୀମାନଙ୍କ ସହ ଧାରାବାହିକ ଭାବେ ଏହିପରି ବୈଠକ ହେବ ।

ସୋମବାର ବୈଠକରେ ମୁଖ୍ୟତଃ ଶିକ୍ଷା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟ ସାମିଲ ରହିବେ । ଏଥିରେ ଯୋଜନାଗୁଡ଼ିକ ତ୍ରୁଣମୂଳ ସ୍ତରରେ କେତେ କାର୍ଯ୍ୟକାରୀ ହୋଇଛି ଏବଂ ମନ୍ତ୍ରୀମାନେ ନିଜ ଦାୟିତ୍ୱ କିପରି ତୁଲାଉଛନ୍ତି ତାର ସମୀକ୍ଷା କରାଯିବ । ବୈଠକରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିବ ଉତ୍ତରଦାୟିତ୍ୱ । ଅର୍ଥାତ୍ ଯେଉଁ ମନ୍ତ୍ରୀଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ସେମାନଙ୍କ କାମ କିପରି ରହିଛି, ଯାହା ଉପରେ ଚର୍ଚ୍ଚା କରାଯିବ ।

ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକାରିତା ବୁଝିବା ପାଇଁ ସରକାର ଆଗାମୀ ଦିନରେ ଅନ୍ୟ ଏକ ରାଷ୍ଟ୍ରମନ୍ତ୍ରୀମାନଙ୍କ ଗୋଷ୍ଠୀ ସହିତ ସମାନ ବୈଠକ କରିପାରନ୍ତି । ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା ହେଉଥିବା ଏହି ବୈଠକଗୁଡ଼ିକୁ ସମ୍ଭାବ୍ୟ କ୍ୟାବିନେଟ୍ ପୁନର୍ଗଠନ ସହିତ ଯୋଡାଯାଉଛି । ତଥାପି, ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ ।