ନୂଆଦିଲ୍ଲୀ: ମାରୁତିର ପ୍ରଥମ ଇଲେକ୍ଟ୍ରିକ୍ କାର୍ର ହେଲା ଶୁଭାରମ୍ଭ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ହଂସଲପୁରରେ ଥିବା ସୁଜୁକି ମୋଟର ପ୍ଲାଣ୍ଟରେ ହୋଣ୍ଡାର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଇ-ଭିଟାରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। 'ଆତ୍ମନିର୍ଭର ଭାରତ' ଚିନ୍ତାଧାରାରେ ଅନୁପ୍ରାଣିତ ଏହି ମେଡ୍-ଇନ୍-ଇଣ୍ଡିଆ ଇଲେକ୍ଟ୍ରିକ୍ କାର୍ ସଂପୂର୍ଣ୍ଣ ଭାବରେ ଭାରତରେ ହିଁ ତିଆରି ହୋଇଛି। ବଡ଼ କଥା ହେଲା ଭାରତରୁ ହିଁ ଏହି କାର୍ ୟୁରୋପ ଏବଂ ଜାପାନ ସମେତ ୧୦୦ରୁ ଅଧିକ ଦେଶକୁ ରପ୍ତାନୀ କରାଯିବ। ଯାହା ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ। କାର୍ଯ୍ୟକ୍ରମରେ ସମ୍ବୋଧିନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଜି ମେକ୍ ଇନ୍ ଇଣ୍ଡିଆରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏଣିକି ବିଦେଶରେ ଚାଲୁଥିବା ଇଲେକ୍ଟ୍ରିକ୍ ଗାଡ଼ିରେ ବି 'ମେଡ୍ ଇନ୍ ଇଣ୍ଡିଆ' ଲେଖାଯିବ।’
ତେବେ କାର୍ ବିଷୟରେ କହିଲେ, ଏହି କାର୍ ନୂଆ HEARTECT-e ପ୍ଲାଟଫର୍ମରେ ନିର୍ମାଣ କରାଯାଇଛି। ଯାହାକୁ ଟୋୟୋଟା ଏବଂ ଡାଇହାତ୍ସୁ ସହଭାଗିତାରେ ବିକଶିତ କରାଯାଇଛି। ଏହା ସମ୍ପୂର୍ଣ୍ଣ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ। କାରଣ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରାଯାଉଥିବାବେଳେ, ଆଗାମୀ ସମୟରେ ଏହା EV ଯୋଗାଣ ଶୃଙ୍ଖଳରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରିବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, e-VITARA ଦୁଇଟି ବ୍ୟାଟେରୀ ବିକଳ୍ପରେ ଉପଲବ୍ଧ ହେବ। ପ୍ରଥମଟି ହେଉଛି 49 kWh ବ୍ୟାଟେରୀ ପ୍ୟାକ୍, ଯାହା ପ୍ରାୟ ୫୦୦ କିଲୋମିଟର ରେଞ୍ଜ ଦେବ ଏବଂ ଦ୍ୱିତୀୟଟି ହେଉଛି 61 kWh ବ୍ୟାକ୍ ପ୍ୟାକ୍, ଯାହାର ରେଞ୍ଜ ପ୍ରାୟ ୬୨୦ କିଲୋମିଟର ହେବ। ବେସ୍ ମଡେଲ୍ ଫ୍ରଣ୍ଟ ମୋଟର ଏବଂ ଫ୍ରଣ୍ଟ-ହ୍ୱିଲ୍-ଡ୍ରାଇଭ୍ ଅପ୍ସନ ରହିଛି। ସେହିପରି ହାୟର ଭାରିଆଣ୍ଟରେ ଡୁଆଲ୍ ମୋଟର ଏବଂ ଅଲ୍-ହ୍ୱିଲ୍-ଡ୍ରାଇଭ୍ ଅପ୍ସନ ରହିଛି ।
କାର୍ର ଇଣ୍ଟିରିୟର କଥା କହିଲେ କମ୍ପାନି e-VITARAର କ୍ୟାବିନକୁ ଡିଜିଟାଲ୍ ତଥା ଟେକ୍ ଫ୍ରେଣ୍ଡଲି କରିଛି। ଏଥିରେ ୨୫.୬୫ ସେଣ୍ଟିମିଟରର ଫ୍ଲୋଟିଂ ଟଚସ୍କ୍ରିନ୍ ରହିଛି। ଯେଉଁଥିରେ SmartPlay Pro ଇଣ୍ଟରଫେସ୍ ରହିଛି ଏବଂ ଏହା ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ ସପୋର୍ଟ ରହିଛି। ସେହିଭଳି ୧୦. ୨୫ ସେମି ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏହା ବ୍ୟତୀତ, ୱାୟାରଲେସ୍ ଚାର୍ଜର, ଏକାଧିକ USB-C ପୋର୍ଟ ଏବଂ ଅତିରିକ୍ତ ଷ୍ଟୋରେଜ୍ ସ୍ପେସ୍ ମଧ୍ୟ ପ୍ରଦାନ କରାଯାଇଛି। e-VITARAରେ ସାତୋଟି ଏୟାରବ୍ୟାଗ ଅଛି। ପିଲାମାନଙ୍କ ସୁରକ୍ଷା ପାଇଁ ISOFIX ମାଉଣ୍ଟ ମଧ୍ୟ ରହିଛି। ଏହା ବ୍ୟତୀତ ଡ୍ରାଇଭିଂ ଆସିଷ୍ଟାଣ୍ଟରେ ADAS ମଧ୍ୟ ରହିଛି। ଯେଉଁଥିରେ ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ଲେନ୍-କିପ୍ ଆସିଷ୍ଟ, ବ୍ଲାଇଣ୍ଡ-ସ୍ପଟ୍ ମନିଟରିଂ ଏବଂ କୋଲାଇଜନ୍ ମିଟିଗେଶନ୍ ବ୍ରେକିଂ ଭଳି ଟେକ୍ନୋଲୋଜି ରହିଛି।
ଇ-ଭିଟାରାର ଶୁଭାରମ୍ଭ ସହ ପ୍ରଧାନମନ୍ତ୍ରୀ ମୋଦୀ TDS ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଫେସିଲିଟିର ମଧ୍ୟ ଉଦଘାଟନ କରିଥିଲେ। ଏହି ପ୍ଲାଣ୍ଟ ସୁଜୁକି, ତୋଶିବା ଏବଂ ଡେନ୍ସୋର ଏକ ମିଳିତ ଉଦ୍ୟମ। ଏଠାରୁ ଉତ୍ପାଦନ ହେବାକୁ ଥିବା ବ୍ୟାଟେରୀ, ବ୍ୟାଟେରୀ ଉତ୍ପାଦନରେ ଘରୋଇ କ୍ଷେତ୍ରର ଭାଗୀଦାରୀକୁ ୮୦ ପ୍ରତିଶତକୁ ବୃଦ୍ଧି କରିବ। ଏହା କେବଳ ଭାରତକୁ ବୈଦ୍ୟୁତିକ କାର ନିର୍ମାଣରେ ଆତ୍ମନିର୍ଭରଶୀଳ କରିବ ନାହିଁ, ବରଂ ବିଶ୍ୱ EV ମୂଲ୍ୟ ଶୃଙ୍ଖଳାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।