News7 Logo

CCS ବୈଠକରେ ନେପାଳ ହିଂସା ଉପରେ ଚର୍ଚ୍ଚା, ପିଏମ୍ ମୋଦୀ କହିଲେ-ପଡ଼ୋଶୀ ଦେଶରେ ହିଂସା ହୃଦୟବିଦାରକ

NEWS7
NARENDRA

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ସମ୍ୱନ୍ଧିତ କ୍ୟାବିନେଟ୍ କମିଟି ବୈଠକରେ ନେପାଳ ହିଂସା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ହିଂସାକୁ ହୃଦୟବିଦାରକ ବୋଲି କହିଛନ୍ତି । ପଡୋଶୀ ଦେଶରେ ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ପିଏମ୍ ମୋଦୀ ଏକ୍ସରେ ଲେଖିଛନ୍ତି, ଆଜି ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତରୁ ଫେରିବା ପରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ନେପାଳ ଘଟଣାକ୍ରମକୁ ନେଇ ବିସ୍ତୃତରେ ଆଲୋଚନା ହୋଇଛି । ନେପାଳରେ ହୋଇଥିବା ହିଂସା ହୃଦୟବିଦାରକ । ଅନେକ ପିଲାଙ୍କ ଏଥିରେ ଜୀବନ ଯାଇଥିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ନେପାଳର ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଆତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ମୁଁ ମୋର ନେପାଳର ସମସ୍ତ ଭାଇ-ଭଉଣୀଙ୍କୁ ନିବେଦନ କରୁଛି ।

ସେପଟେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫାର କିଛି ଘଣ୍ଟା ପରେ, ନେପାଳ ସେନା ରାତି ୧୦ଟାରୁ ଦେଶର ସୁରକ୍ଷା ଦାୟିତ୍ୱ ନେବ ବୋଲି ଘୋଷଣା କରିଛି । ଜନସମ୍ପର୍କ ଏବଂ ସୂଚନା ନିର୍ଦ୍ଦେଶାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ସେନା କଡ଼ା ଚେତାବନୀ ଦେଇଛି । କିଛି ଗୋଷ୍ଠୀ ଏହି କଷ୍ଟକର ପରିସ୍ଥିତିର ସୁଯୋଗ ନେଉଛନ୍ତି ଓ ସାଧାରଣ ନାଗରିକ ଏବଂ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଉଛନ୍ତି । ସେନା ଏହା ମଧ୍ୟ କହିଛି ଯେ ଯଦି ଅଶାନ୍ତି ଜାରି ରହେ, ତେବେ ସେନା ଏବଂ ସମସ୍ତ ସୁରକ୍ଷା ସଂସ୍ଥା ସକ୍ରିୟ ହେବ । ହିଂସା କାର୍ଯ୍ୟରେ ସାମିଲ ନହେବା ପାଇଁ ନାଗରିକମାନଙ୍କୁ ଅପିଲ୍ କରାଯାଇଛି ।