LIVE TV
LIVE TV

ଆଗକୁ ଆହୁରି ଦୁଇ ଦିନ ନାକେଦମ କରିବ ଜାଡ଼, ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବ

NEWS7
pink-moon-to-illuminate-the-skies-this-weekend

ଭୁବନେଶ୍ୱର ୨୮/୧୧ : ଆଗକୁ ଆହୁରି ଦୁଇ ଦିନ ନାକେଦମ କରିବ ଜାଡ଼ । ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବ । ଅସମ୍ଭାଳ ଶୀତ ଦେହ, ହାତ ଥରାଇ ଦେବ । ଖାଲି ଶୀତ ନୁହେଁ, କିଛି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ଏହା ଦୃଶ୍ୟମାନ ଦୂରତା କମାଇ ଦେବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା । ବୁଧବାର ୨୦ଟି ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଥିଲା । ୬ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା ।

ଝାରସୁଗୁଡ଼ାରେ ଥଣ୍ଡା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ନଭେମ୍ବରରେ ରେକର୍ଡ ହୋଇଥିବା ସବୁଠାରୁ କମ୍ ତାପମାତ୍ରା ।୧୯୭୦ ନଭେମ୍ବର ୩୦ ତାରିଖରେ ୮.୪ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିବର୍ଷ ନଭେମ୍ବର ମାସରେ ୪ ଥର ସବୁଠୁ କମ୍ ଥଣ୍ଡା ଅନୁଭୂତ ହୋଇଥିଲା । ବୁଧବାର ରାତିରେ ଏହି ରେକର୍ଡ ଭାଙ୍ଗିଛି । ଏଠାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୨ ଡିଗ୍ରୀରୁ ଅଧିକ କମିଛି । ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୭.୪ ଡିଗ୍ରୀ ରେକର୍ଡ ହୋଇଛି । ଜି ଉଦୟଗିରି ପରେ ରାଉରକେଲା ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିଲା ।

ଏଠାରେ ପାରଦ ୭.୭ ଡିଗ୍ରୀ ଥିଲା । ସେମିଳିଗୁଡ଼ାରେ ୮.୬ଡିଗ୍ରୀ, କିରେଇରେ ୯.୩, ଦାରିଙ୍ଗିବାଡ଼ିରେ ୯.୫, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୩, ଫୁଲବାଣୀରେ ୧୦.୫, ସୁନ୍ଦରଗଡ଼ରେ ୧୦.୬, ଢେଙ୍କାନାଳରେ ୧୧.୬, ସମ୍ବଲପୁର ଓ ଭବାନୀପାଟଣାରେ ୧୩, କଟକରେ ୧୩.୪, ଭୁବନେଶ୍ୱରରେ ୧୩.୫, ବଲାଙ୍ଗିର, ରାୟଗଡ଼ା, ନବରଙ୍ଗପୁର ଓ ସୋନପୁରରେ ୧୪, କୋରାପୁଟରେ ୧୪.୪, ନୟାଗଡ଼ରେ ୧୪.୬, ବାଲେଶ୍ୱରରେ ୧୪.୮ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ସ୍ୱାଭାବିକଠାରୁ ୪.୭ ଓ କଟକ ଓ ସୁନ୍ଦରଗଡ଼ରେ ୨.୪ ଡିଗ୍ରୀ କମ୍ ରହିଛି ।