ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର : ବନ୍ଦ କୋଠରୀରେ ୨ ଘଣ୍ଟା ଧରି ସିକ୍ରେଟ୍ ମିଟିଂ

NEWS7
piles-patient-should-not-eat-these-5-foods-know-details

ନୂଆଦିଲ୍ଲୀ, ୧୫/୧୨:ପ୍ରିୟଙ୍କାଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର । ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ଜନ ସୁରଜ ପାର୍ଟିର ପରାଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି ପ୍ରଶାନ୍ତ କିଶୋର । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । ଉଭୟ ନେତା ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଯେଉଁଥିରେ ଅନେକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ରବିବାର ପ୍ରଶାନ୍ତ ଏବଂ ପ୍ରିୟଙ୍କା ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଏଥିରେ ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟ ବାବଦରେ ଆଲୋଚନା ହୋଇଥିବା କୁହାଯାଉଛି । କିନ୍ତୁ ଉଭୟ ପ୍ରିୟଙ୍କା ଏବଂ ପ୍ରଶାନ୍ତ ବୈଠକକୁ କେବଳ ସୌଜନ୍ୟମୂଳକ ସାକ୍ଷାତକାର କହିଛନ୍ତି ।

ତେବେ ରାଜନୈତିକ ଦୃଷ୍ଟିକୋଣରୁ ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଦୀର୍ଘ ଦିନ ହେବ ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଭଲ ସମ୍ପର୍କ ନଥିଲା । ଅନେକ ପ୍ରସଙ୍ଗରେ ସେ କଂଗ୍ରେସକୁ ସମାଲୋଚନା କରୁଥିଲେ ।୨୦୨୧ରେ ଜେଡିୟୁ ବିଦା ହେବା ପରେ ସେ କଂଗ୍ରେସ ପାଇଁ କାମ କରୁଥିଲେ । ପରେ ସେ୨୦୨୨ରେ କଂଗ୍ରେସ ପାଇଁ କାମ କରିବାକୁ ଚାହିଁଥିଲେ । କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିବ ସେନେଇ ସୋନିଆ ଏବଂ ରାହୁଲଙ୍କ ଆଗରେ ଅନେକ ପ୍ରସ୍ତାବ ରଖିଥିଲେ ପ୍ରଶାନ୍ତ ।

ସେତେବେଳେ ସୋନିଆ ପ୍ରଶାନ୍ତଙ୍କ ପ୍ରସ୍ତାବ ଉପରେ ଆଲୋଚନା ପାଇଁ କମିଟି ଗଠନ କରିଥିଲେ । କିଛି ଦିନ ପରେ ସୋନିଆ ଦଳରେ ଏକ ବୋର୍ଡ ଗଠନ କରିଥିଲେ । ଯେଉଁଥିରେ ସାମିଲ ହେବାକୁ ପ୍ରଶାନ୍ତଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସେ ଏହାକୁ ମନା କରିଦେଇଥିଲେ । ଦଳରେ ତାଙ୍କୁ ଅଧିକ କ୍ଷମତା ମିଳୁ ବୋଲି ସେ ଦାବି କରିଥିଲେ । ସେହି ସମୟରେ ଅନେକ ବରିଷ୍ଠ ନେତା କୌଣସି ବାହାର ବ୍ୟକ୍ତିଙ୍କଠୁ ପରାମର୍ଶ ଗ୍ରହଣ କରିବା ପାଇଁ ରାଜି ନଥିଲେ । ଏପରିକି ସେମାନଙ୍କର ପ୍ରଶାନ୍ତଙ୍କ ଉପରେ ଭରସା ନଥିବା କହିଥିଲେ ।

୨୦୨୪ରେ କଂଗ୍ରେସରେ ଯୋଗ ଦେବା ପାଇଁ ପ୍ରଶାନ୍ତଙ୍କୁ କୁହାଯାଇଥିଲା । କିନ୍ତୁ ମନା କରିଦେଇଥିଲେ ପ୍ରଶାନ୍ତ କିଶୋର । ଏହାସହ କଂଗ୍ରେସକୁ ନୂଆ ଶକ୍ତି ଦରକାର । ଯାହା କେବଳ ସେ ନିଜେ ଦେଇପାରିବେ ବୋଲି ପ୍ରଶାନ୍ତ କହିଥିଲେ । ସେବେଠୁ ଅନେକଟଣାରେ କଂଗ୍ରେସକୁ ପ୍ରଶାନ୍ତ ଟାର୍ଗେଟ୍ କରି ଆସୁଥିଲେ ।

ବିହାର ନିର୍ବାଚନରେ ପ୍ରଶାନ୍ତ ରାହୁଲ ଗାନ୍ଧୀଙ୍କ ଏସଆଇଆର ଏବଂ ଭୋଟ୍ ଚୋରି ପ୍ରସଙ୍ଗରୁ ନିଜକୁ ଦୂରରେ ରଖୁଥିଲେ । ବିହାରରେ ଏପ୍ରସଙ୍ଗ କାମ ଦେବନି ବୋଲି କହିଥିଲେ ସେ । ଯାହା ପ୍ରମାଣିତ ହୋଇଥିଲା । କଂଗ୍ରେସ ମାତ୍ର୬୧ଆସନରୁଟି ସିଟ୍ ପାଇପାରିଥିଲା । ଏବେ ପ୍ରିୟଙ୍କା ପ୍ରଶାନ୍ତଙ୍କ ଭେଟଘାଟ ପରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି ।