ନୂଆଦିଲ୍ଲୀ, ୭।୫: ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ । ସକାଳ ୭ଟାରୁ ଭୋଟ୍ ଦେଉଛି ଭାରତ । ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ୯୩ଟି ଲୋକସଭା ଆସନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ । ତୃତୀୟ ପର୍ଯ୍ୟାୟରେ ୧୭.୨୪ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟ ୮.୮୫ କୋଟି ରହିଥିବା ବେଳେ ମହିଳା ଭୋଟର ୮.୩୯ କୋଟି ରହିଛନ୍ତି । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମୋଟ୍ ୧.୮୫ ଲକ୍ଷ ମତଦାନ କେନ୍ଦ୍ର ହୋଇଛି । ଆସନ୍ତା ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ବାହାରିବ ।
ମୋଟ୍ ୯୩ ଆସନରୁ ଆସାମର ୪, ବିହାରର ୫, ଛତିଶଗଡର ୭, ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉର ୨ଟି ଆସନ ମତଦାନ ହେବ । ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଓ ଗୋଆର ସମସ୍ତ ଆସନରେ ଭୋଟ୍ ଗ୍ରହଣ ହେଉଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ମତଦାନ ଶେଷ ହେବ । ରାଜ୍ୟର ମୋଟ୍ ୨୮ ଲୋକସଭା ଆସନରୁ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୬ରେ ୧୪ଟି ଆସନରେ ମତଦାନ ହୋଇଥିଲା ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ । ଏହି ପର୍ଯ୍ୟାୟରେ ବହୁ ହେଭିଓ୍ବେଟ ରହିଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅମିତ୍ ଶାହ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଆସନରୁ, ଡିମ୍ପଲ ଯାଦବ ମୈନପୁରୀରୁ, ପ୍ରହ୍ଲାଦ ଯୋଶୀ ଧରୱାଡରୁ, ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ବରହମପୁର ଆସନରୁ, ଶିବରାଜ ସିଂହ ଚୌହାନ ବିଦିଶାରୁ, ଦିଗ୍ବିଜୟ ସିଂହ ରାଜଗଢରୁ ଓ ସୁପ୍ରିୟା ସୁଲେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ।