ଓପିଏସ୍‌ସି ଆବେଦନ ପାଇଁ ତୃତୀୟ ଲିଙ୍ଗୀଙ୍କୁ ଅଧିକ ୧୫ ଦିନ, ୬୦ ଦିନରେ କାର୍ଯ୍ୟକାରୀ କରିବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

NEWS7
phalgam-terror-attack-jammu-kashmir-hidden-chinese-huawei-phone-surfaces-attack

ଭୁବନେଶ୍ୱର ୨୯।୦୧ : ତୃତୀୟ ଲିଙ୍ଗୀଙ୍କ ଅଧିକାର ଓ ସମ୍ମାନକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆରସି)ଙ୍କ ବଡ଼ ରାୟ । ସାଧାରଣ ସେବାରେ ନିଯୁକ୍ତି ନିମିତ୍ତ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ପାଇଁ ସ୍ୱତନ୍ତ୍ର ଲିଙ୍ଗଗତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏଥିସହ ଚାକିରି କ୍ଷେତ୍ରରେ ଅତି କମ ୧ ପ୍ରତିଶତ ସଂରକ୍ଷଣ ରଖିବା ପାଇଁ ମଧ୍ୟ କମିଶନ୍ ଆଦେଶ ଦେଇଛନ୍ତି । ସେହିପରି ଆଗାମୀ ଓପିଏସସି ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ଆବେଦନର ଶେଷ ତାରିଖ ୧୫ ଦିନ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟର ନଜିର ଏବଂ ତୃତୀୟଲିଙ୍ଗୀ ଅଧିକାର ସୁରକ୍ଷା ଆଇନ୍-୨୦୧୯ ଏବଂ ତତ୍ସଂଲଗ୍ନ ୨୦୨୦ର ନିୟମାବଳୀ ଅନୁସାରେ ଏହି ଆଦେଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କ ଜଣିକିଆ ଖଣ୍ଡପୀଠ । ଆଗାମୀ ୬୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଧାରଣ ପ୍ରଶାସନ ବିଭାଗ ଏବଂ ସାମାଜିକ ସୁରକ୍ଷା ବିଭାଗକୁ କମିଶନ ଆଦେଶ ଦେଇଛି । ଯେହେତୁ ଓପିଏସସି ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, କିନ୍ତୁ ସେଥିରେ ତୃତୀୟ ଲିଙ୍ଗୀଙ୍କ ଆବେଦନ ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ତୃତୀୟଲିଙ୍ଗୀଙ୍କ ଆବେଦନ ପାଇଁ ମହିଳା, ପୁରୁଷ ବିକଳ୍ପ ଭଳି ଏକ ବ୍ୟବସ୍ଥା କରିବା ସହ ଆବେଦନ ଲାଗି ଅତିକମରେ ୧୫ ଦିନ ସମୟ ବୃଦ୍ଧି କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଓପିଏସସି ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ କରିନପାରି ତୃତୀୟ ଲିଙ୍ଗୀ ସୋନି ସିଲ୍ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଜଣେ ତୃତୀୟ ଲିଙ୍ଗୀ ଭାବେ ଆବେଦନ କରି ନ ପାରି ତାଙ୍କର ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ସୋନିଙ୍କ ଆବେଦନକୁ ବିଚାର କରି ସର୍ବସାଧାରଣ ସେବା କ୍ଷେତ୍ରରେ ତୃତୀୟ ଲିଙ୍ଗୀମାନେ ମଧ୍ୟ ପୁରୁଷ, ମହିଳାଙ୍କ ଭଳି ନିଜ ଲିଙ୍ଗଗତ ବିକଳ୍ପ ଚୟନ କରିବାର ହକଦାର ଅଟନ୍ତି । କମିଶନଙ୍କ ଏହି ଆଦେଶ ରାଜ୍ୟରେ ତୃତୀୟ ଲିଙ୍ଗୀଙ୍କ ବିକାଶ ଓ ସମ୍ମାନ ଦିଗରେ ଏକ ମାଇଲଖୁଣ୍ଟ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।