News7 Logo

ପରାଜୟ ପରେ ହତାଶ ପାକିସ୍ତାନୀ, ଭାରତ ବିରୋଧରେ ଏମିତି କହିଲେ ଦୂରସଞ୍ଚାର ମନ୍ତ୍ରୀ

NEWS7
Pakistan Cricket Team

ନୂଆଦିଲ୍ଲୀ: ଏସିଆ କପ୍‌ରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପୂରା ହତାଶ  ହୋଇ ପଡ଼ିଛି ପାକିସ୍ତାନ। ଏବେ ପଡ଼ୋଶୀ ଦେଶର ସଞ୍ଚାର ମନ୍ତ୍ରୀ ମ୍ୟାଚ୍ ପରେ ଖେଳାଳିଙ୍କ ହାତ ନ ମିଳାଇବା ପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଭାରତ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲଗାଇ ଦାବି କରିଛନ୍ତି ଯେ, ପଡୋଶୀ ଦେଶ କେବେ ବି ଯୁଦ୍ଧ ମଇଦାନରେ ଜିତି ପାରିବ ନାହିଁ। ମନ୍ତ୍ରୀ ଏହି ବୟାନ ଏମିତି ସମୟରେ ଦେଇଛନ୍ତି, ଯେଉଁଠି କିଛି ମାସ ତଳେ ଭାରତର ଅପରେସନ ସିନ୍ଦୂରରେ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ।

ଜିଓ ନ୍ୟୁଜ ଅନୁସାରେ ମନ୍ତ୍ରୀ ଅତାଉଲ୍ଲା ତରାର ମଙ୍ଗଳବାର କହିଛନ୍ତି, ଗୋଟିଏ ଦେଶ ଯିଏ ସଂପୂର୍ଣ୍ଣ ଭାବେ ସୈନିକ ଭାବେ ଦେବାଳିଆ ଏବଂ ଯାହାଙ୍କ ପାଖରେ କୌଣସି ମୂଲ୍ୟ ନାହିଁ, ସେମାନେ କଦାପି ସୈନ୍ୟ ମଇଦାନରେ ଜିତି ପାରିବେ ନାହିଁ। ତେଣୁ କ୍ରୀଡ଼ା ମଇଦାନରେ ଏମିତି ହୀନ କାମ କରୁଛନ୍ତି। ସେମାନେ କ୍ରିକେଟକୁ ରାଜନୀତିକରଣ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସମୟରେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଘଟିଥିବା ସଂଘର୍ଷର ଉଲ୍ଲେଖ କରି ଭାରତକୁ ଟାର୍ଗେଟ୍ କରିଛନ୍ତି।

କଣ ଥିଲା ବିବାଦ ?

ସେପ୍ଟେମ୍ବର ୧୪ ତାରିଖ। ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ତେବେ ମ୍ୟାଚ୍‌ ଆରମ୍ଭରୁ ଏବଂ ସରିବା ପରେ ଦେଖିବାକୁ ମିଳିଥିଲା ବଡ଼ ବ୍ୟତିକ୍ରମ। ଟସ୍ ପଡ଼ିବା ସମୟରେ ପରସ୍ପରର  ହାତ ମିଳାଇ ନଥିଲେ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘା ଓ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ପୁଣି ମ୍ୟାଚ୍ ସରିବା ପରେ ସୁର୍ଯ୍ୟା ଓ ଶିବମ ଦୁବେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ସିଧାସଳଖ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ। କୁହାଯାଉଛି ଯେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ନ ମିଳାଇବାକୁ ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘାଙ୍କୁ କହିଥିଲେ ମ୍ୟାଚ୍ ରେଫରୀ ପାଇକ୍ରାଫ୍ଟ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ହମଲା ହୋଇଥିଲା। ଆତଙ୍କୀ ଧର୍ମ ପଚାରି ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାର ଜବାବରେ ମେ ୬- ୭ ତାରିଖ ରାତିରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିଥିଲେ। ଏହା ପରେ ପାଖାପାଖି ଚାରି ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲା। ଭାରତ କହିଥିଲା ଯେ, ପାକିସ୍ତାନର ଡିଜିଏମଓ ପକ୍ଷରୁ ଅନୁରୋଧ ପରେ ଅସ୍ତ୍ରବିରତି ହୋଇଥିଲା।

କଣ କହିଲେ ସୂର୍ଯ୍ୟକୁମାର ଯାଦବ

ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରବିବାର ଏସିଆ କପରେ ପାକିସ୍ତାନ ବିପକ୍ଷରେ ୭ ଓ୍ଵିକେଟ୍‌ରେ ବିଜୟକୁ ଦେଶର ସେନାକୁ ସମର୍ପିତ କରିଥିଲେ।  ସୂର୍ଯ୍ୟ କହିଥିଲେ, ତାଙ୍କ ଟିମ୍ ପହଲଗାମ ଆତଙ୍କୀ ହମଲାର ପୀଡ଼ିତଙ୍କ ସହ ଅଛନ୍ତି। ସୂର୍ଯ୍ୟକୁମାର ଏହି ଟିପ୍ପଣୀ ଭାରତର ବିଜୟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଇଥିଲେ।