ଇସ୍ଲାମାବାଦ ୯।୧୧: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପାକ୍ ସରକାର ସମ୍ବିଧାନ ସଂଶୋଧନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିଛନ୍ତି। ଏହା ଦ୍ୱାରା ଏକ ନୂଆ ପଦବୀ ସୃଷ୍ଟି ହେବ। ଏହି ପଦବୀ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଦିଆଯିବ। ପାକିସ୍ତାନ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଏହି ନୂଆ ପଦବୀର ନାମ ସୁରକ୍ଷା ବଳ ମୁଖ୍ୟ (ଚିଫ ଅଫ ଡିଫେନ୍ସ ଫୋର୍ସେସ)  ରହିବ। ଏହି ନୂଆ ସଂଶୋଧନ ବିଧେୟକ ଅନୁସାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମୁନିରଙ୍କୁ ଏହି ପଦବୀରେ ନିଯୁକ୍ତ କରିବେ।

ଏହି ନୂଆ ପଦବୀ ସୃଷ୍ଟି କରିବା ପାଇଁ ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୨୪୩ରେ ସଂଶୋଧନ କରିବ। ଏଥି ପାଇଁ ସଂସଦରେ ୨୭ତମ ସଂଶୋଧନ ବିଧେୟକ ଉପସ୍ଥାପନ କରାଯାଇଛି। ପାକିସ୍ତାନ ସରକାରଙ୍କ କହିବା କଥା ହେଉଛି ସେନା ମଧ୍ୟରେ ସାମଞ୍ଜସ୍ୟ ସ୍ଥାପନା ନିମନ୍ତେ ଏହି ପଦବୀ ସୃଷ୍ଟି କରାଯାଉଛି, ଯାହା ଦ୍ୱାରା ଜଳ, ସ୍ଥଳ ଓ ବାୟୁସେନା ସିଙ୍ଗଲ କମାଣ୍ଡ ଅନ୍ତର୍ଗତ କାମ କରିବେ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅପରେସନ ସିନ୍ଦୂରରେ ୪ ଦିନ ପର୍ଯ୍ୟନ୍ତ ଭାରତ ପଟୁ ମାଡ଼ ଖାଇବା ପରେ ପାକିସ୍ତାନ ଏହି ଶିକ୍ଷା ପାଇଛି। ଗତମାସରେ ଏୟାର ଚିଫ ମାର୍ଶଲ ଏ.ପି.ସିଂହ କହିଥିଲେ ଯେ ଅପରେସନ ସିନ୍ଦୂର କାଳରେ ଏଫ-୧୬ ଫାଇଟର ଜେଟ୍ ସମେତ ପାକିସ୍ତାନର ଅନେକ ଯୁଦ୍ଧବିମାନ ଧରାଶାୟୀ ହୋଇଥିଲେ। ଏଣୁ ପାକିସ୍ତାନ ବାଧ୍ୟ ହୋଇ ଯୁଦ୍ଧ ରୋକିବାକୁ ଅନୁରୋଧ କରିଥିଲା। ଏହାପରେ ଭାରତ ଆକ୍ରମଣ ବନ୍ଦ କରିଥିଲା। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଆର୍ମି ଚିଫଙ୍କୁ ଫିଲ୍ଡମାର୍ଶଲ ଘୋଷଣା କରିଥିଲା। ଫିଲ୍ଡ ମାର୍ଶଲ ପଦବୀ ପାକିସ୍ତାନର ଦ୍ୱିତୀୟ ବଡ଼ ପଦବୀ। ଏବେ ସମ୍ବିଧାନ ସଂଶୋଧନ କରି ଅସୀମ ମୁନିରଙ୍କୁ ୩ ସେନାର ମୁଖ୍ୟ କରାଯାଉଛି।