LIVE TV

ବିଶ୍ୱାସରେ ବିଷ ଦେଲା ପାକିସ୍ତାନ ! ଟ୍ରମ୍ପଙ୍କ ଗାଜା ପ୍ଲାନକୁ ଦେଲା ବଡ଼ ଝଟକା

NEWS7
Pakistan FM Ishaq Dar

ଇସଲାମାବାଦ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୁଦ୍ଧକୁ ବନ୍ଦ କରିବା ପାଇଁ ୨୦ ପଏଣ୍ଟ ଯୁକ୍ତ ପ୍ଲାନକୁ ସମର୍ଥନ ଦେଇ ପାକିସ୍ତାନ ଫସି ଯାଇଛି। ପ୍ରଥମେ ସେ ଏହି ଯୋଜନାକୁ ସମର୍ଥନ ଜଣାଇ ଥିଲା , ହେଲେ ଏବେ ସେ ୟୁ-ଟର୍ଣ୍ଣ ନେଇ ଟ୍ରମ୍ପଙ୍କୁ ବଡ଼ ଝଟକା ଦେଇଛି। ପାକିସ୍ତାନୀ ମିଡ଼ିଆ ହାଉସ୍ ଡନ୍‌ର ରିପୋର୍ଟ ଅଧାରରେ , ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍‌ ଡାର୍‌ ଶୁକ୍ରବାର ନ୍ୟାସନାଲ ଆସେମ୍ୱଲିରେ କହିଛନ୍ତି, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଜାରି କରାଯାଇ ଥିବା ୨୦ସୂତ୍ରୀୟ ଗାଜା ଶାନ୍ତି ଯୋଜନା ଆମର ନୁହେଁ, ଏବଂ ଏହି କଥା ଉପରେ ଜୋର ଦେଇଛି ଯେ, ଏହି ମାମଲା ଉପରେ ରାଜନୀତିର କୌଣସି ପରିସର ନାହିଁ।

ଡାର୍ ଇସଲାମାବାଦରେ ନିଜର ଗତ ପ୍ରେସ୍‌ ବାର୍ତ୍ତାର ଉଲ୍ଲେଖ କରି କହିଛନ୍ତି , ମୁଁ ସ୍ପଷ୍ଟ କରି ଦେଇଥିଲି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ସାର୍ବଜନିକ କରାଯାଇ ଥିବା ୨୦ ପଏଣ୍ଟ ଆମର ନୁହେଁ। ଆମର ଡ୍ରାଫ୍ଟରେ ପରିବର୍ତ୍ତନ କରାଯାଇ ଥିଲା। ମୋ ପାଖରେ ଏହାର ରେକର୍ଡ ଅଛି। ସେ ଆହୁରି କହିଛନ୍ତି , ଏହା ଅନ୍ତିମ ପରିଣାମ ଏବଂ ଏଥିରେ ରାଜନୀତିର କୌଣସି ପରିସର ନାହିଁ। ଡାର୍ କହିଛନ୍ତି ଯେ, ୮ଟି ମୁସଲିମ୍ ଓ ଆରବ ଦେଶ – ଜାର୍ଡନ , ସଂଯୁକ୍ତ ଆରବ ଏମିରେଟ୍ , ଇଣ୍ଡୋନେସିଆ, ପାକିସ୍ତାନୀ, ତୁର୍କୀ, ସାଉଦୀ ଆରବ, କତାର ଓ ମିଶର – ୮୦ତମ ଜାତିସଂଘର ମହାସଭା ଅଧିବେଶନ ବେଳେ ଟ୍ରମ୍ପଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଠି ଆମେରିକୀୟ ରାଷ୍ଟ୍ରପତି ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ରୋକିବା ପାଇଁ ନିଜର ଯୋଜନା ପ୍ରସ୍ତୁତ କରିଥିଲେ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନା ମୁଖ୍ୟ ଆସିମ ମୁନିର ନିକଟରେ ଆମେରିକାର ହ୍ୱାଇଟ୍‌ ହାଉସ୍‌ ଯାତ୍ରା କରିଥିଲେ। ଏହି ସମୟରେ ଟ୍ରମ୍ପ ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ସମ୍ପ୍ରତି ଆମେରିକା ଓ ପାକିସ୍ତାନ ନିକଟତର ହେବା ଦେଖା ଯାଉଛି। ଶେହବାଜ ସରିଫ ମଧ୍ୟ ଅନେକ ଥର ଟ୍ରମ୍ପଙ୍କ ଧନ୍ୟବାଦ ଜଣାଇ ସାରିଛନ୍ତି ଏବଂ ନୋବେଲ ପୁରସ୍କାର ପର୍ଯ୍ୟନ୍ତ ନୋମିନେଟ୍‌ ମଧ୍ୟ ଟ୍ରମ୍ପଙ୍କୁ ପାକିସ୍ତାନ କରିଛି। କିନ୍ତୁ ପ୍ରଥମେ ଟ୍ରମ୍ପଙ୍କ ଗାଜା ପ୍ଲାନକୁ ସପୋର୍ଟ କରିବା ପରେ ଏବେ ପାକିସ୍ତାନ ବଦଳି ଯାଇଛି, ଯେଉଁଥି ପାଇଁ କୁହାଯାଉଛି, ସରିଫ ଯେଉଁ ଥାଳିରେ ଖାଇଲେ , ଶେଷରେ ସେଥିରେ ଛିଦ୍ର କରି ଦେଲେ। ଏହା ପାକିସ୍ତାନ ଉପରେ ବିଶ୍ୱାସ କରିବାକୁ ଚେଷ୍ଟା କରିଥିବା ଟ୍ରମ୍ପଙ୍କ ପାଇଁ କୌଣସି ବଡ଼ ଝଟକା ଠା କମ୍‌ ନୁହେଁ।