LIVE TV

ତାଲିବାନ ବିଦେଶମନ୍ତ୍ରୀଙ୍କ ପ୍ରଥମ ଭାରତ ଯାତ୍ରାରେ ବିଳବିଳେଇଲା ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ଖ୍ୱାଜା ଆସିଫ?

NEWS7
gfx

ଇସ୍ଲାମାବାଦ ୯।୧୦: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଆଫଗାନିସ୍ତାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତକୀଙ୍କ ଭାରତ ଯାତ୍ରାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ଆସିଫ ଆଫଗାନିସ୍ତାନରେ କ୍ଷମତା ହାତେଇ ସାରିଥିବା ତାଲିବାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ଛଡା ପାକ୍ ପ୍ରତିରକ୍ଷାମନ୍ତ୍ରୀ ଭାରତ ସହିତ ଆଫଗାନୀସ୍ତାନ ଲୋକଙ୍କ ବନ୍ଧୁତ୍ୱକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନକୁ ପାକିସ୍ତାନ ଅଗଣିତ ସାହାଯ୍ୟ କରିଛି ହେଲେ ସେମାନେ ଭୁଲି ଯାଇଛନ୍ତି ବୋଲି କହିଛନ୍ତି।

ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କୁ ଏକ ଟେଲିଭିଜନ ସାକ୍ଷାତକାରରେ ମୁତ୍ତାକୀଙ୍କ ଭାରତ ଗସ୍ତ ନେଇ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ ଚିଡିଯାଇଥିଲେ ଓ ଆଫଗାନ ଲୋକଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ। ଖ୍ୱାଜା ଆସିଫ କହିଛନ୍ତି ଯେ ଆଫଗାନିସ୍ତାନ ସର୍ବଦା ଭାରତ ସହ ବିଶ୍ୱସ୍ଥ ରହିଆସିଛି। ଏଥିରେ କୌଣସି ନୂଆ କଥା ନାହିଁ, କାରଣ ସେମାନେ ପୂର୍ବରୁ ମଧ୍ୟ ଏପରି କରୁଥିଲେ। ଏହା ପରେ ଖ୍ୱାଜା ଆସିଫ ଆପଣ କୌଣସି ସମୟ ଉପରେ ବି ନଜର ପକାନ୍ତୁ ଆଫଗାନ ସର୍ବଦା ପାକିସ୍ତାନ ବିରୋଧରେ ହିଁ ରହିଛି। ଏହା ପୂର୍ବରୁ ବି ହେଉଥିଲା, ଏବେବି ହେଉଛି ଓ ଭବିଷ୍ୟତରେ ମଧ୍ୟ ଏଇଆ ହେବ ବୋଲି ସେ କହିଛନ୍ତି।

ଖ୍ୱାଜା ଆସିଫ ଆଫଗାନିସ୍ତାନକୁ ମନେ ପକାଇଦେଇଛନ୍ତି ଯେ ଲକ୍ଷଲକ୍ଷ ଆଫଗାନ ପାକିସ୍ତାନରେ ଶରଣ ନେଇଥିଲେ। ଏଣୁ ସେମାନେ ଯାହା କରୁଛନ୍ତି ଏହା ଦେଶଦ୍ରୋହ ବୋଲି କହିଛନ୍ତି। ତେବେ ଆମେରିକା ଚାପରେ ଆଫଗାନ ମାନଙ୍କୁ ପାକିସ୍ତାନରେ ଶରଣ ଦିଆଯାଇଥିଲା ବୋଲି ସେ କହିଛନ୍ତି, ହେଲେ ଆମକୁ ଏପରି କରିବାର ନଥିଲା ଓ ଏଥି ପାଇଁ ସେ ପୂର୍ବ ସରକାରଙ୍କୁ ଦାୟି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଫଗାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀ ଗୁରୁବାର ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ୨୦୨୧ରେ କାବୁଲ କ୍ଷମତାକୁ ଆସିବା ପରେ କୌଣସି ତାଲିବାନ ନେତାଙ୍କ ଏହା ପ୍ରଥମ ଥର ଉଚ୍ଚସ୍ତରୀୟ ଭାରତ ଯାତ୍ରା। ଏହି ଗସ୍ତ ଅବସରରେ ମୁତ୍ତକୀ ଦିଲ୍ଲୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଆଫଗାନିସ୍ତାନ ସମ୍ପର୍କ ଦୃଷ୍ଟିରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଅନ୍ୟପଟେ ପାକିସ୍ତାନର ପ୍ରତିକ୍ରିୟାରୁ ଏହି ସଂକେତ ମିଳୁଛି ଯେ ଇସ୍ଲାମାବାଦ ମୁତ୍ତକୀଙ୍କ ଭାରତ ଗସ୍ତରେ ଖୁସି ନୁହେଁ। ପାକିସ୍ତାନର ଭୟ ଯେ ଆଫଗାନିସ୍ତାନରେ ଭାରତର ବଢୁଥିବା ଭାଗିଦାରୀ କ୍ଷେତ୍ରରେ ତା ଲାଗି ସମସ୍ୟା ସୃଷ୍ଟି କରିପାରେ।