ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି। ଦୁଇ ପଡ଼ୋଶୀ ଏବେ ପରସ୍ପରକୁ ଆକ୍ରମଣ କରିବାର ସଜବାଜ ହେଉଛନ୍ତି। ଏନେଇ ପାକିସ୍ତାନ ରବିବାର ଆଫଗାନିସ୍ତାନକୁ ଲାଗିଥିବା ଏହାର ସୀମା ବନ୍ଦ କରିଦେଇଛି। ଦୁଇ ଦେଶର ସେନା ମଧ୍ୟରେ ଲଢ଼େଇ ଯୋଗୁ ପାକିସ୍ତାନ ଏହାର ସୀମା ବନ୍ଦ କରୁଛି ବୋଲି ପାକିସ୍ତାନ ସରକାର କହିଛନ୍ତି।

ନିକଟରେ ପାକିସ୍ତାନ ଆଫଗାନିସ୍ତାନର କାବୁଲ ପାର୍ଶ୍ୱବର୍ତ୍ତି ଅଞ୍ଚଳଗୁଡ଼ିକରେ ବୋମାମାଡ଼ କରିଥିଲା। ଜବାବରେ ତାଲିବାନ ଶନିବାର ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନରେ ୫୮ ଯବାନଙ୍କ ମୃତ୍ୟୁ ହୋଇଥିବା ତାଲିବାନ ଦାବି କରୁଥିବା ବେଳେ ପାକିସ୍ତାନ କହିଛି ଆମ ଗୁଳିରେ ୨୦୦ରୁ ଅଧିକ ତାଲିବାନୀ ସେନା ନିହତ ହୋଇଛନ୍ତି। ପାକିସ୍ତାନର କୁର୍ରମ ଏରିଆରେ ଏବେବି ଦୁଇ ସେନା ମଧ୍ୟରେ ଗୁଳିବିନିୟ ଜାରି ରହିଛି ବୋଲି ପାକିସ୍ତାନ ଦାବି କରିଛି। ପରସ୍ପରର ଦାବି ନେଇ ସତ୍ୟତା ଜଣାପଡ଼ି ନଥିବା ବେଳେ ପାକିସ୍ତାନ ସୀମା ବନ୍ଦ କରିବା ବଡ଼ ଯୁଦ୍ଧର ସଂକେତ ଦେଉଛି।

ପାକିସ୍ତାନର ତୋରଖାନ ଓ ଚମନ ସୀମା ଆଫଗାନିସ୍ତାନ ସହିତ ଭଲ ଭାବରେ ଲାଗି ରହିଛି। ତେଣୁ ଏହି ଦୁଇଟି ରବିବାର ବନ୍ଦ କରିଦିଆଯାଇଛି। ତା ସହିତ ତିନୋଟି ଛୋଟ ଛୋଟ ସୀମାନ୍ତ ଏରିଆ ଯଥା ଖାର୍ଲାଚି, ଅଙ୍ଗୋର ଆଡ୍ଡା, ଏବଂ ଗୁଲାମ ଖାନକୁ ମଧ୍ୟ ପାକିସ୍ତାନ ବନ୍ଦ କରିଦେଇଥିବା କହିଛି। ତେବେ ପାକିସ୍ତାନ ସୀମା ବନ୍ଦ କରିବା ନେଇ ଯଦିଓ ଆଫଗାନିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରି ନାହିଁ, ତେବେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କତାର ଓ ୟୁଏଇ ଅନୁରୋଧ କ୍ରମେ ଗତକାଲି ମଧ୍ୟରାତ୍ରୀରେ ତାଲିବାନ ସେନା ପାକିସ୍ତାନ ବିରୋଧୀ ଅପରେସନ ବନ୍ଦ କରି ଦେଇଛି।

ଭୂଖଣ୍ଡରେ ଘେରା ଆଫଗାନିସ୍ତାନର ପାକିସ୍ତାନ ସହିତ ୨,୬୦୦ କିଲୋମିଟର (୧,୬୦୦ ମାଇଲ) ଲମ୍ବା ସୀମା ରହିଛି। ଡୁରାଣ୍ଡ ଲାଇନକୁ ନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ସୀମା ବିବାଦ ରହି ଆସିଥିବା ବେଳେ ଇସ୍ଲାମାବାଦ ତାଲିବାନ ପ୍ରଶାସନ ଉପରେ ପାକିସ୍ତାନ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ ଲଗାଉଛି। ଯାହାକୁ କାବୁଲ ଅସ୍ୱୀକାର କରୁଛି। ଓଲଟି ପାକିସ୍ତାନ ଆଇଏସଆଇଏସ ଆତଙ୍କୀଙ୍କୁ ଟ୍ରେନିଂ ଦେଇ ଆଫାଗାନିସ୍ତାନରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ତାଲିବାନ ଅଭିଯୋଗ କରିଛି।