ନୂଆଦିଲ୍ଲୀ: ଖୁବଶୀଘ୍ର ଭେଟ ହେବାକୁ ଯାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)୮୦ ତମ ଅଧିବେଶନ ଅବସରରେ ସରିଫ ଟ୍ରମ୍ପଙ୍କୁ ଭେଟିବେ। ଏବଂ ଅନ୍ୟ ବଛା ବଛା ମୁସଲିମ ନେତାଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ପାକିସ୍ତାନ ଘୋଷଣା କରିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ସେପ୍ଟେମ୍ବର ୨୨ ରୁ ୨୬ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ତାଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳ ଆମେରିକା ଯିବେ। ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଇସାକ ଡାର, ଅନ୍ୟ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ରହିବେ।  ଶେହେବାଜଙ୍କ ନେତୃତ୍ୱରେ ଆମେରିକା ଯାଉଥିବା ଏହି ପ୍ରତିନିଧି ମଣ୍ଡଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି UNGA ବାର୍ଷିକ ଅଧିବେଶନରେ ଅଂଶଗ୍ରହଣ କରିବା।

ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ (FO) ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ସରିଫ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସଲାମିକ ନେତାମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦେବେ। ଶାନ୍ତି ଏବଂ ସୁରକ୍ଷା ସହିତ ଜଡିତ ପ୍ରମୁଖ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହେବ।

ୟୁଏନ୍‌ଜିଏ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଜାରେ ନରସଂହାର ଓ ପାଲେଷ୍ଟାଇନ ଲୋକଙ୍କ ଅଧିକାର ନେଇ ସ୍ୱର ଉଠାଇବେ। ଏହାର ସମାଧାନ ପାଇଁ ସେ ବିଶ୍ୱବାସୀଙ୍କୁ ଆହ୍ୱାନ କରିବେ। ଏଥିସହିତ ଇସ୍ଲାମୋଫୋବିଆ, ଆତଙ୍କବାଦ,ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ସେ ବକ୍ତବ୍ୟ ରଖିବେ। ଏଥିସହିତ ସେ ଅନେକ ବିଶ୍ୱ ନେତାଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ପାକିସ୍ତାନ କାଶ୍ମୀର କଥା ଉଠାଇପାରେ ବୋଲି ମିଡିଆରେ ଖବର ପ୍ରକାଶ ପାଇଛି। ତେଣୁ ଜାତିସଂଘରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କର ଆଭିମୁଖ୍ୟ ଉପରେ ଭାରତର କଡ଼ା ନଜର ରହିଛି।