ଭୁବନେଶ୍ୱର: ଓଡ଼ିଆ ଘରର ଗଣପର୍ବ ରଜକୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ହେଲେ ଚଳିତ ବର୍ଷର ରଜ କିଛି ବେଶୀ ସ୍ପେଶାଲ୍ । କାରଣ ରବିବାର ଆଉ ଆଜି ହିଁ ପଡ଼ିଛି 'ପହିଲି ରଜ'। ଅର୍ଥାତ୍ ଖାଦ୍ୟ ପ୍ରିୟ ଓଡ଼ିଆଙ୍କ ପାଇଁ ଏହା ଏକ ଖୁସିର ଦିନ । ସେଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ମଟନ ଚିକେନ ମାଛ ଦୋକାନରେ ଲମ୍ବା ଲାଇନ୍ । ରାଜଧାନୀର ୪ ନମ୍ୱର୍ ଆମିଷ ମାର୍କେଟରେ ଦେଖିବାକୁ ମିଳିଛି ଗହଳି ।

ରଜର ପ୍ରଥମ ଚରଣ ପଡ଼ିଛି ଆମିଷ ବାରରେ। ରବିବାର ସହ ଆମିଷ ବି ତୁଣ୍ଡରେ ବାଳିବ। ଏଥିପାଇଁ ଚଳଚଞ୍ଚଳ ରାଜଧାନୀର ପ୍ରମୁଖ ବଜାର। ଶନିବାର ରାତିରେ ୩୦ରୁ ୩୫ଖାସି ଗାଡି ବିଭିନ୍ନ ଗୋଦାମକୁ ଯିବ। ସେଠାରୁ ସକାଳୁ ସକାଳୁ ବଜାରକୁ ନିଆଯାଇଛି। କାରଣ ପଶ୍ଚିମବଙ୍ଗରୁ ଖାସି ଆସୁନଥିବାରୁ ଅଧିକ ଡିମାଣ୍ଡରେ ଦେଶୀ ଖାସି ରହିବ। ତେଣୁ ଦର ବଢ଼ିଛି। ପୂର୍ବରୁ ୭୦୦ଟଙ୍କାରେ ଖାସି କିଲେ ମିଳୁଥିବା ବେଳେ ଏବେ ୮୦୦ରୁ ୮୫୦ଟଙ୍କାରେ ବେପାର ହେଉଛି।

ଆଜି କୋଲାକାତା ସମେତ ବାରିପଦା, ଦଶପଲ୍ଲା, ମୟୂରରଂଜ, ଜସିପୁରରୁ ଖାସି ଆସିଛି। ରାଜଧାନୀ ଉପକଣ୍ଠ ଅଞ୍ଚଳରୁ କିଛି ଦେଶୀ ଆସିଛନ୍ତି । ଖାସି ସହ ମାଛ ଓ ଚିକେନ, ଅଣ୍ଡା ବି ଆସିଛି। ସେହି ହିସାବରେ ୬ରୁ ୭ କୋଟି ଟଙ୍କାର ବେପାର ଟାର୍ଗେଟ ରଖାଯାଇଛି।

ଅପରପକ୍ଷେ, ରଜ ବେଳେ ଅଣ୍ଡା ଦର ବଢ଼ିଛି। ପୂର୍ବରୁ ୬ ଓ ପରେ ୭ଟଙ୍କାରେ ଅଣ୍ଡା ବିକ୍ରି ହେଉଥିବା ବେଳେ ଆଜି ଆଉ ଟଙ୍କାଏ ବଢ଼ି ୮ରେ ପହଞ୍ଚିଛି। ପେଟି ପିଛା ୧୫୦ଟଙ୍କା ବୃଦ୍ଧିପାଇଛି। ଯେଉଁ ଅଣ୍ଡା ପେଟି ୧୩ଶହ ଟଙ୍କାରେ ମିଳୁଥିଲା ତାହା ଏବେ ୧୪୫୦ରେ ପହଞ୍ଚିଛି।