ହାଇଦ୍ରାବାଦ,୦୭/୦୩: ଆମେରିକାରେ ଭାରତୀୟଙ୍କ ପାଇଁ ବଢ଼ୁଛି ସମସ୍ୟା । ଟ୍ରମ୍ପ ସରକାରଙ୍କ ନୂଆ ଇମିଗ୍ରେସନ ନିୟମ ପାଇଁ ଦ୍ବନ୍ଦ୍ବରେ ରହିଛନ୍ତି ଭାରତୀୟ । ଆମେରିକାରେ ଆଉ ରହିବାକୁ ମିଳିବନି ଅନୁମତି । ନାବାଳକ ଏଚ୍୧-ବି ଭିସାରେ ଆମେରିକା ଯାଇଥିବା ଏବଂ ବର୍ତ୍ତମାନ ସେଠାରେ ୨୧ ବର୍ଷରେ ପଦାର୍ପଣ କରିଥିବା ଭାରତୀୟମାନଙ୍କର ରହିବା କଷ୍ଟକର ହୋଇଛି । ସେମାନଙ୍କୁ ଆଉ ଏନ୍ଆରଆଇ ପିତାମାତାଙ୍କ ଆଶ୍ରିତ ବା ଏଚ୍୪ ଭିସା ଧାରକ ଭାବେ ଗ୍ରହଣ କରାଯିବ ନାହିଁ । ୨୧ ବର୍ଷ ହେବା ପରେ ସେମାନଙ୍କୁ ନୂଆ ଭିସା ଷ୍ଟାଟସ୍ ଗ୍ରହଣ କରିବାକୁ ଦୁଇବର୍ଷ ସମୟ ମିଳୁଥିଲା । କିନ୍ତୁ ନୂଆ ଇମିଗ୍ରେସନ ନିୟମରେ ପରିବର୍ତ୍ତନ ଓ କୋର୍ଟ ମାମଲା କାରଣରୁ ଏହି ସମୟ ସୀମାକୁ ଶେଷ କରିଦିଆଯିବ ବୋଲି ସୂଚନା ରହିଛି । ଏହି ନିୟମ ଲାଗୁ ହେଲେ ଭାରତୀୟଙ୍କୁ ଆତ୍ମ ପ୍ରତ୍ୟର୍ପଣ ଆଧାରରେ ଭାରତକୁ ପଠାଇ ଦିଆଯିବ ।
୨୦୨୩ ମାର୍ଚ୍ଚର ରିପୋର୍ଟ ଅନୁସାରେ ଆମେରିକାରେ ୧.୩୪ ଲକ୍ଷ ଏଭଳି ଭାରତୀୟ ପିଲା ରହୁଛନ୍ତି, ଯାହାଙ୍କର ଆଶ୍ରିତ ଭିସା ସେମାନଙ୍କ ପରିବାରକୁ ଗ୍ରୀନ୍ କାର୍ଡ ମିଳିବା ପୂର୍ବରୁ ଶେଷ ହୋଇଯିବ । ନିକଟରେ ଟେକ୍ସାସର ଏକ କୋର୍ଟ ଡିଫର୍ଡ ଆକ୍ସନ ଫର୍ ଚାଇଲ୍ଡହୁଡ୍ ଆରାଇଭାଲ ଅଧୀନରେ ନୂଆ ଆବେଦନକାରୀଙ୍କୁ ୱାର୍କ ପରମିଟ୍ ଦେବା ଉପରେ ରୋକ୍ ଲଗାଇଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଯାଇଛି । ବିନା ଦସ୍ତାବିଜରେ ରହୁଥିବା ପ୍ରବାସୀଙ୍କୁ ଡିଏସିଏ ଦେଶାନ୍ତରଣ ଉପରେ ଦୁଇବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ । ସେଥିରେ ଏଭଳି ପିଲାମାନେ ସାମିଲ ଅଛନ୍ତି ଯେଉଁମାନେ ୨୧ ବର୍ଷ ପରେ ପିତାମାତାଙ୍କ ଆଶ୍ରିତ ଭାବେ ନିଜର ସ୍ଥିତି ପାଇଁ ଅଯୋଗ୍ୟ ହୋଇଥାନ୍ତି, କିନ୍ତୁ ସେମାନଙ୍କ ପାଖରେ ନବୀକରଣ ଲାଗି ସମ୍ଭାବନା ଥାଏ । ନୂଆ ଇମିଗ୍ରେସନ ନିୟମ ଅନୁଯାୟୀ, ସେମାନେ ଅନିଶ୍ଚିତତାରେ ଫସିଯିବାର ଭୟ ଘାରିଛି । ସମସ୍ୟାକୁ ଆହୁରି ଜଟିଳ କରିଛି ଗ୍ରୀନ୍ କାର୍ଡର ଅପେକ୍ଷା । ସେମାନଙ୍କ ପିତାମାତା ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିଛନ୍ତି । ହେଲେ ଅପେକ୍ଷା କରିବାର ସମୟ ୧୨ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରହିଛି ।
କାଲିଫର୍ଣ୍ଣିଆରେ ପଢ଼ୁଥିବା ଜଣେ ୨୦ ବର୍ଷୀୟା ନର୍ସିଂ ଛାତ୍ରୀ କହିଛନ୍ତି, ସେ ୬ ବର୍ଷ ବୟସରୁ ଆମେରିକାରେ ରହିଆସୁଛନ୍ତି । ତାଙ୍କର ପାଠପଢ଼ା, ସାଙ୍ଗସାଥୀ ଓ ଭବିଷ୍ୟତ ସବୁ ଏଠାରେ ରହିଛି । ଆମେରିକା ହିଁ ତାଙ୍କ ପାଇଁ ସବୁ କିଛି । କିନ୍ତୁ ବର୍ତ୍ତମାନ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ବୋଲି କୁହାଯାଉଛି । ତାଙ୍କର ଆଶ୍ରିତ ଭିସା ଆସନ୍ତା ଅଗଷ୍ଟ ମାସରେ ଶେଷ ହେବ । କିନ୍ତୁ ସେ ତାଙ୍କର ପାଠପଢ଼ା ଜାରି ରଖିବା ଲାଗି ଭିସାକୁ ଏଫ-୧ରେ ବଦଳାଇବା ଲାଗି ଯୋଗ୍ୟ ଅଟନ୍ତି । କିନ୍ତୁ ଏହି ପ୍ରକ୍ରିୟାରେ ସେ ଜଣେ ଆନ୍ତର୍ଜାତିକ ଛାତ୍ରୀ ହୋଇଥିବାରୁ ଏଭଳି ଭିସା ପାଇବାକୁ ହେଲେ ବହୁ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ସେହିଭଳି ଟେକ୍ସାସରେ ପଢ଼ୁଥିବା ଅନ୍ୟ ଜଣେ ୨୦ ବର୍ଷୀୟ ଯୁବକଙ୍କ ଏଚ୍-୪ ଭିସା ଚଳିତବର୍ଷ ଶେଷ ବେଳକୁ ସମାପ୍ତ ହେବ । ତାଙ୍କ କହିବାନୁଯାୟୀ ରାଜ୍ୟ ବାହାରର ଟ୍ୟୁସନ ଫି ସେ ବହନ କରିପାରିବେ ନାହିଁ । ନିଜର ଖର୍ଚ୍ଚ ଉଠାଇବା ଲାଗି କ୍ୟାମ୍ପସ ବାହାରେ କୌଣସି କାମ କରିପାରିବେ ନାହିଁ । ସେ କହିଛନ୍ତି ତାଙ୍କୁ ଏଭଳି କିଛି କ୍ଷେତ୍ର ପାଇଁ ଦଣ୍ଡିତ କରାଯାଉଛି ଯାହା ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତାଙ୍କୁ ବର୍ତ୍ତମାନ ୪୫ ହଜାର ଡଲାର ଫି’ ଦେବାକୁ ପଡ଼ିପାରେ । କିନ୍ତୁ ତାଙ୍କର ଜଣେ ବନ୍ଧୁ ବର୍ତ୍ତମାନ ୧୦ ହଜାର ଡଲାର ଦେଉଛନ୍ତି । ଏଭଳି କ୍ଷେତ୍ରରେ କିଛି ଯୁବକ କାନାଡା, ବ୍ରିନେଟ କିମ୍ବା ଅନ୍ୟ କୌଣସି ୟୁରୋପୀୟ ଦେଶକୁ ଚାଲିଯିବା ଉପରେ ବିଚାର କରୁଛନ୍ତି । ଯେଉଁଠାରେ ଇମିଗ୍ରେସନ ନୀତିକୁ ଅଧିକ ସମାବେଶୀ ଭାବେ ବିବେଚନା କରାଯାଉଛି ।
ଆମେରିକାରେ ରୋଜଗାର ଆଧାରିତ ଗ୍ରୀନକାର୍ଡ ବ୍ୟବସ୍ଥାରେ ବହୁତ ବ୍ୟାକଲଗ୍ ରହିଛି । ଯାହା ଭାରତୀୟ ପ୍ରବାସୀଙ୍କୁ ଅନୁପାତହୀନ ରୂପରେ ପ୍ରଭାବିତ କରୁଛି । ବିଶେଷକରି ଯୁବବର୍ଗ ଅଧିକ ପ୍ରଭାବିତ ହେବା ଗମ୍ଭୀର ଚିନ୍ତାର ବିଷୟ । ସେମାନେ ଆମେରିକାରେ ପାଠ ପଢ଼ିପାରୁଥିଲେ, ଚାକିରି କରିପାରୁଥିଲେ ଏବଂ ସାମାଜିକ ସୁରକ୍ଷା ନମ୍ବର ମଧ୍ୟ ହାସଲ କରିପାରୁଥିଲେ । କିନ୍ତୁ ନୂଆ ସରକାର ଆସିବା ଏବଂ ଜନ୍ମସିଦ୍ଧ ନାଗରିକତା ଅଧିକାର ରଦ୍ଦ କରାଯିବା ପରେ ସବୁ କିଛି ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।