LIVE TV

‘ପାକିସ୍ତାନର ୩୦୦ କିଲୋମିଟର ଭିତରେ ଆକ୍ରମଣ କରିଥିଲୁ, ଦୁନିଆ ଆମଠୁ ଶିଖିବା ଦରକାର’: ବାୟୁ ସେନା ମୁଖ୍ୟ

NEWS7
air chief marshal

ନୂଆଦିଲ୍ଲୀ: ବାୟୁ ସେନା ମୁଖ୍ୟ ଅମର ପ୍ରୀତ ସିଂହ ଶୁକ୍ରବାର ପାକିସ୍ତାନର ଫମ୍ପା ଦାବିର ପୋଲ୍ ଖୋଲିଛନ୍ତି । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୪ରୁ ୫ଟି ଯୁଦ୍ଧ ବିମାନ ଧ୍ୱଂସ କରାଯାଇଥିବା ସେ କହିଛନ୍ତି । ଯେଉଁଥିରେ ପାକିସ୍ତାନର ଅତ୍ୟାଧୁନିକ ଏଫ୍-୧୬ ଯୁଦ୍ଧ ବିମାନ ମଧ୍ୟ ସାମିଲ ଥିଲା । ବାୟୁ ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନର ଅନେକ ଏୟାରବେସକୁ ଟାର୍ଗେଟ୍ କରାଯାଇଥିଲା ଓ ସେମାନଙ୍କ ରାଡାର୍ସ, କମାଣ୍ଡ ସେଣ୍ଟର, ହ୍ୟାଙ୍ଗର ଆଦିକୁ ନଷ୍ଟ   କରାଯାଇଥିଲା 

ନୂଆଦିଲ୍ଲୀରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ବାୟୁ ସେନା ମୁଖ୍ୟ ଏ.ପି.ସିଂହ କହିଛନ୍ତି ଯେ ଆମର ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିସାଇଲ୍ ପାକିସ୍ତାନର ଯୁଦ୍ଧ ବିମାନକୁ ସେମାନଙ୍କ କ୍ଷେତ୍ରରେ ବି ଉଡାଣ ଭରିବାକୁ ଦେଇନଥିଲା । ଆମେ ପାକିସ୍ତାନର ୩୦୦ କିଲୋମିଟର ଭିତର ଯାଏ ଆକ୍ରମଣ କରିଥିଲୁ, ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଆମର ଆକ୍ରମଣରେ ପାକିସ୍ତାନ କୌଣସି ଦୁଃସାହସ କଲା ନାହିଁ ।

ବାୟୁ ସେନା ମୁଖ୍ୟ କହିଛନ୍ତି, ଆମେ ଦେଖୁଛୁ ଦୁନିଆରେ କଣ ଘଟୁଛି । ଦୁଇ ଯୁଦ୍ଧ ଚାଲିଛି ଓ ନିକଟ ଭବିଷ୍ୟତରେ ତାହା ଶେଷ ହେବାର କୌଣସି ଚର୍ଚ୍ଚା ନାହିଁ । କିନ୍ତୁ ଆମେ ପାକିସ୍ତାନକୁ ସେହି ସ୍ଥିତିରେ ପହଞ୍ଚାଇ ଦେଇଥିଲୁ, ଯେଉଁଠୁ ସେ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିଲା ଓ ଆକ୍ରମଣ ନକରିବା ପାଇଁ ଅନୁରୋଧ କରିଥିଲା । ଆମେ ଏକ ରାଷ୍ଟ୍ର ରୂପେ ନିଷ୍ପତ୍ତି ନେଇ ଆକ୍ରମଣ ବନ୍ଦ କରିଥିଲୁ, କାରଣ ଆମେ ଯାହା ଚାହିଁଥିଲୁ, ତାହା ଆମେ କରିସାରିଥିଲୁ । ଏହା ଏପରି କିଛି ଥିଲା, ଯାହାକୁ ଦୁନିଆ ଶିଖିବା ଦରକାର ବୋଲି ମୁଁ ଅନୁଭବ କରୁଛି । ଏୟାର ଚିଫ୍ ମାର୍ଶଲ ସ୍ପଷ୍ଟ କରିଛନ୍ତି ଯେ ବାୟୁ ସେନା ନିଜ ଯୁଦ୍ଧ କ୍ଷମତାକୁ ବଢାଇବା ପାଇଁ ରୋଡମ୍ୟାପ୍ ୨୦୪୭ ପ୍ରସ୍ତୁତ କରିଛି ।

ଅପରେସନ ସିନ୍ଦୂରର ବିଭିନ୍ନ ଦିଗ ଉପରେ ବିସ୍ତାରରେ ଚର୍ଚ୍ଚା କରି ସେ କହିଛନ୍ତି ଯେ ଏହା ତିନି ସେନାର ସମନ୍ୱୟର ପ୍ରତିବିମ୍ୱ ଅଟେ । ପାକିସ୍ତାନର କ୍ଷତି ବାବଦରେ ସେ ସୂଚନା ଦେଇ କହିଛନ୍ତି, ଆମେ ତାଙ୍କର ଅନେକ ଏୟାରଫିଲ୍ଡ ଓ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଥିଲୁ । ଆମ ଆକ୍ରମଣରେ ତାଙ୍କର ଅତି କମରେ ୪ ରାଡାର୍ସ, ଦୁଇ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର, ଦୁଇ ସ୍ଥାନରେ ରନୱେ, ତିନି ଭିନ୍ନ ଭିନ ସ୍ଥାନରେ ଥିବା ହ୍ୟାଙ୍ଗର୍ସ ନଷ୍ଟ ହୋଇଛି । ପାକିସ୍ତାନର ସି-୧୩୦ ଶ୍ରେଣୀର ବିମାନ, ଅତି କମରେ ୪ରୁ ୫ ଯୁଦ୍ଧ ବିମାନ, ଯେଉଁଥିରେ ଗୋଟିଏ ଏଫ୍-୧୬ ସାମିଲ ଅଛି ଓ ଗୋଟିଏ ଏସ୍‌ଏଏସ୍ ସିଷ୍ଟମକୁ ନଷ୍ଟ କରାଯିବାର ଆମ ପାଖରେ ପ୍ରମାଣ ଅଛି ।