News7 Logo

ପାକିସ୍ତାନ କ୍ରିକେଟ୍ ମ୍ୟାଚ ବେଳେ ବିସ୍ଫୋରଣ, ବୋମା ଫୁଟି ଜଣେ ମୃତ, ଏକାଧିକ ଆହତ

NEWS7
Stadium Blast

ନୂଆଦିଲ୍ଲୀ: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମରେ ବିସ୍ଫୋରଣ। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ବାଜୌର ଜିଲ୍ଲାର ଖାର ତହସିଲର କୌସର କ୍ରିକେଟ୍ ଗ୍ରାଉଣ୍ଡରେ ଏହି ବିସ୍ଫୋରଣ ଘଟିଥିଲା। ଏକ ଆଇଇଡି ଦ୍ୱାରା ବିସ୍ଫୋରଣ ହୋଇଥିବା କହିଛି ବାଜୌର ଜିଲ୍ଲା ପୋଲିସ ଅଧିକାରୀ ୱାକାସ ରଫିକ୍ଏହା ଏକ ଲକ୍ଷ୍ୟଭେଦୀ ଆକ୍ରମଣ ପରି ମନେ ହେଉଥିବା କହିଛନ୍ତି।

ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ହୋଇନାହିଁ। ତଥାପି, ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ଲୋକମାନେ ଧୂଆଁ ମଧ୍ୟରେ ଦୌଡ଼ୁଥିବା ଦେଖାଯାଉଛି। ଗତ ମାସରେ ସୁରକ୍ଷା ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସର୍ବକାଫକୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀମାନେ ଏଥିପାଇଁ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି।

ଗତ ଶନିବାର ଖାଇବର ପଖତୁନଖ୍ୱା ପ୍ରଦେଶରେ ଦୁଇଟି ପୃଥକ ଘଟଣାରେ ଅତି କମରେ ତିନି ଜଣ ଆତଙ୍କବାଦୀ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ପ୍ରଦେଶର କୋହାଟ ଜିଲ୍ଲାର ଲାଚି ପୋଲିସ ଷ୍ଟେସନ୍ କ୍ଷେତ୍ରରେ ପୋଲିସ ଏନକାଉଣ୍ଟର ସମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ, ଲାଚି ତହସିଲର ଦାର୍ମଲକ ପୋଲିସ ପୋଷ୍ଟ ନିକଟରେ ଅଜ୍ଞାତ ଆକ୍ରମଣକାରୀମାନେ ଏକ ପୋଲିସ ଭ୍ୟାନ ଉପରେ ଆକ୍ରମଣ କରି ଜଣେ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି।