LIVE TV

ICMRଙ୍କ ସତର୍କତା, ପ୍ରତି ୩ ପିଲାଙ୍କ ମଧ୍ୟରେ ଜଣକୁ ରହୁଛି ହୃଦରୋଗର ବିପଦ

NEWS7
ICMR Study

ନୂଆଦିଲ୍ଲୀ ୩।୧୦:  ଦେଶରେ ପିଲା ଓ କିଶୋରଙ୍କ ମଧ୍ୟରେ ହୃଦରୋଗ ଓ ହାଇପରଟେନସନ ବିପଦ ଦ୍ରୁତ ବଢିବାରେ ଲାଗିଛି। ପରିସ୍ଥିତି ଏତେ ବିକଟ ହୋଇଛି ଯେ ଛୋଟଛୋଟ ପିଲା ମଧ୍ୟ ଏହି ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ନିକଟରେ କରିଥିବା ଏକ ଅଧ୍ୟୟନରେ ଦେଶରେ ପ୍ରତି ୩ ପିଲାରେ ଜଣକଠାରେ ହୃଦରୋଗର ବିପଦ ରହୁଥିବା କହିଛନ୍ତି। ଏଥିରେ ରାଜଧାନୀ ଦିଲ୍ଲୀ ଯାହା ପ୍ରଦୂଷଣର ରାଜଧାନୀ ଭାବେ ଜଣାଯାଏ ତାହା ଏବେ ହାଇପରଟେନସନର ରାଜଧାନୀରେ ପରିଣତ ହୋଇଛି।

ଆଇସିଏମଆର ଅଧ୍ୟୟନ ଅନୁସାରେ ୫ରୁ ୯ ବର୍ଷର ପିଲାଙ୍କ ରକ୍ତରେ ଚର୍ବି ବିପଦଜନକ ସ୍ତରକୁ ପହଞ୍ଚୁଛି। ଖାସ କରି ହାଇ ଟ୍ରାଇ-ଗ୍ଲିସରଇଡ, ଯାହା ଭବିଷ୍ୟତରେ ହାର୍ଟ ଆଟାକର କାରଣ ହୋଇପାରେ। ଏହି ମାମଲାରେ ପଶ୍ଚିମ ବଙ୍ଗ ସବୁଠୁ ଆଗରେ ରହିଛି। ଏଠାରେ ୬୭% ପିଲା ହାଇ ଟ୍ରାଇ-ଗ୍ଲିସରଇଡ ସମସ୍ୟା ଭୋଗ କରୁଛି। ଆସାମରେ ଏହି ହାର ୫୭% ଥିବା ବେଳେ ଜମ୍ମୁ-କାଶ୍ମୀରରେ ୫୦% , ସହରାଞ୍ଚଳରେ ୪୦% ପର୍ଯ୍ୟନ୍ତ ଲିପିଡ ଡିସଅର୍ଡର ସମସ୍ୟା ଦେଖା ଯାଉଛି। ଏଥି ପାଇଁ ପ୍ରୋସେସଡ ଫୁଡ, ସଫ୍ଟ ଡ୍ରିଂକ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କ୍ରିନ ଟାଇମକୁ ମୁଖ୍ୟତଃ  ଦାୟି କରାଯାଉଛି।

ଦିଲ୍ଲୀର ୧୦% ପିଲା ଉଚ୍ଚ ରକ୍ତଚାପ (ବିପି)ସମସ୍ୟାରେ ଗ୍ରସିତ ଥିବା ବେଳେ ଉତ୍ତରପ୍ରଦେଶ ଓ ମଣିପୁର ଏହି ମାମଲାରେ ପଛକୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ‘ସାଇଲେଣ୍ଟ ଏପିଡେମିକ’ ବୋଲି କହିଛି। ଅଧ୍ୟୟନରେ ଏହି ଚେତାବନୀ ଦିଆଯାଇଛି ଯେ ଯଦି ବାଲ୍ୟାବସ୍ଥାରେ ଟ୍ରାଇ-ଗ୍ଲିସରାଇଡ ଓ ଏଲଡିଏଲ (ଖରାପ କୋଲେଷ୍ଟ୍ରୋଲ) ସ୍ତର ବଢି ରହେ ତେବେ ୨୦-୨୫ ବର୍ଷ ବୟସ ବେଳକୁ ହାର୍ଟ ଆଟାକର ବିପଦ ଅନେକଗୁଣା ବଢିଯାଏ।

ଖରାପ ଡାଏଟ ଓ ଖରାପ ଲାଇଫଷ୍ଟାଇଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଦ୍ରୁତ ଖରାପ କରୁଛି। ଯଦି ସଠିକ ସମୟରେ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ପିଢୀ ହୃଦୟ ରୋଗ ଓ ହାଇପରଟେନସନ ବେମାରୀରେ କମ ବୟସରୁ କବଳିତ ହେବେ। ଏଣୁ ପିଲାଙ୍କ ଜୀବନ ଶୈଳୀ ପରିବର୍ତ୍ତନ ସହିତ ସଠିକ ସମୟରେ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ସହିତ ଆଲକୋହଲ ଓ ସ୍ମୋକିଂରୁ ବର୍ତ୍ତିବା ଲାଗି ପରାମର୍ଶ ଦିଆଯାଇଛି।