ସବୁ ମାସ ପହିଲାରେ କାହିଁକି ବଢେ ଗ୍ୟାସ୍ ସିଲିଣ୍ଡର ଦାମ, କ’ଣ ଏହାର କାରଣ?

NEWS7
one-giraf-in-mohana

ନୂଆଦିଲ୍ଲୀ ୨।୧: ନୂଆ ବର୍ଷ ଆରମ୍ଭରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି, ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏହି ମୂଲ୍ୟ ବୃଦ୍ଧି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରରେ ହୋଇଛି, ଘରୋଇ ଉପଯୋଗରେ ଆସୁଥିବା ୧୪.୨ କେଜିଆ ଗ୍ୟାସ୍ ସିଲିଣ୍ଡରରେ କୌଣସି ମୂଲ୍ୟ ବୃଦ୍ଧି ହୋଇନି। ଏଣୁ ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି। ମୂଲ୍ୟ ବୃଦ୍ଧି ଯୋଗୁ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୧୧୧ ଟଙ୍କା ମହଙ୍ଗା ହୋଇଯାଇଛି।ଏଣୁ ୧୯ କେଜିର ଏଲପିଜି ସିଲିଣ୍ଡର ମୂଲ୍ୟ ୧,୬୯୧ଟଙ୍କା ୫୦ ପଇସା ହୋଇଯାଇଛି।

ତେବେ ଆପଣ କେବେ ଭାବିଛନ୍ତି କି ଗ୍ୟାସ ସିଲିଣ୍ଡର ମୂଲ୍ୟ ପ୍ରାୟ ସବୁବେଳେ ମାସର ପହିଲା ତାରିଖରେ ବଢେ, ଅନ୍ୟ ତାରିଖରେ ମୂଲ୍ୟ ବୃଦ୍ଧି ଘୋଷଣା ହୁଏନି। ଜାଣନ୍ତିକି ଏହା ପଛର କାରଣ କ’ଣ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା। ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧିର କାରଣ ମଧ୍ୟରୁ ଗୋଟିଏ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପରିବର୍ତ୍ତନ। ଏହାର ପ୍ରଭାବ ଆମକୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଓ ହ୍ରାସରେ ଅନୁଭୁତ ହୋଇଥାଏ। କାରଣ ଭାରତ ଗ୍ୟାସ୍ ଓ ତୈଳ ଆବଶ୍ୟକତା ପାଇଁ ଅନ୍ୟ ଦେଶରୁ ଆମଦାନୀ ଉପରେ ନିର୍ଭର କରେ।

ଏଣୁ ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଅଥବା ହ୍ରାସ ହେଲେ ଭାରତୀୟ କମ୍ପାନୀ ସେହି ହିସାବରେ ଏଲପିଜି ସିଲିଣ୍ଡରର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଥିରେ ଦ୍ୱିତୀୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣଟି ହେଉଛି ଭାରତ ତୈଳ ଓ ଗ୍ୟାସ ଆମଦାନୀ ପାଇଁ ଡଲାର ବ୍ୟୟ କରିଥାଏ। ଏଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଲେ କମ୍ପାନୀଙ୍କୁ ତୈଳ କ୍ରୟ ନିମନ୍ତେ ଅଧିକ ପଇସା ଦେବାକୁ ପଡିଥାଏ। ଏହା ଛଡା ଅନ୍ୟ କାରଣ ସବୁ ମଧ୍ୟ ରହିଛି। ଏଥିରେ ଚାହିଦା ଓ ଏହା ଉପରେ ଲାଗୁଥିବା ବିଭିନ୍ନ ଟ୍ୟାକ୍ସ ମଧ୍ୟ ମୂଲ୍ୟକୁ ପ୍ରଭାବିତ କରେ।

ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରତି ମାସ ପହିଲାରେ ବଢିବା କମିବାର ମଧ୍ୟ କାରଣ ରହିଛି। ଏଥିରେ ସବୁଠୁ ପ୍ରଥମ କାରଣଟି ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ମୁହୂର୍ତ୍ତରେ ଓ ସବୁଦିନ ବଦଳୁଛି। ଏହାର ମୁକାବିଲା ନିମନ୍ତେ ଓ ଲୋକଙ୍କ ସମସ୍ୟାକୁ ନଜରରେ ରଖି ଏକ ବ୍ୟବସ୍ଥା କରାଯାଇଛି। ଏଥିରେ ତୈଳ ମୂଲ୍ୟ ଲାଗୁ କରିବା ପାଇଁ ମାସ ପହିଲାରେ ସବୁ ଡିଷ୍ଟ୍ରିବ୍ୟୁଟର, ଡିଲରଙ୍କ ସହ କମ୍ପ୍ୟୁଟର ସଫ୍ଟୱେରକୁ ଏକ ସଙ୍ଗରେ ଅପଡେଟ କରିବା ସହଜ ହେଉଛି।

ଏଣୁ ସାରା ଦେଶରେ ନୂଆ ମୂଲ୍ୟ ଏକ ସମୟରେ ଲାଗୁ ହୋଇ ପାରୁଛି। ଏଥିରେ କମ୍ପାନୀଙ୍କୁ ତୈଳ ଓ ଡଲାରର ପିଛିଲା ମୂଲ୍ୟର ସବୁ ରେକର୍ଡ ଯାଞ୍ଚ କରିବାକୁ ଓ ନୂଆ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସମୟ ମିଳୁଛି। ସବୁଠୁ ବଡ଼ କଥା ଯାହା ତାହା ହେଉଛି ଗ୍ରାହକ ପ୍ରଥମରୁ ଜାଣିଥାନ୍ତି ଯେ ଏଲପିଜିର ଦାମ ଏକ ନିର୍ଦ୍ଧାରିତ ତାରିଖରେ ହିଁ ବଢିବ। ଏଣୁ ସେମାନେ ଆର୍ଥିକ ରୂପେ ସେମାନଙ୍କ ଜରୁରି ଖର୍ଚ୍ଚ ଲାଗି ପ୍ରସ୍ତୁତି କରିପାରିବେ।