LIVE TV

ରେଳ ଧାରଣାରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

NEWS7
Rourkela

ରାଉରକେଲା ୭।୧୦: ରେଳ ଧାରଣା ଉପରେ ଦୁଷ୍କର୍ମର ଶିକାର ହେଲେ ମହିଳା । ରାଉରକେଲା ବୀରମିତ୍ରପୁର ରେଳ ଧାରଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରଘୁନାଥପାଲ୍ଲୀ ଥାନା ପଛ ପୋଲିସ ରିଜର୍ଭ ଠାରୁ ପାଖାପାଖି ୨୦୦ ମିଟର ଷ୍ଟେସନ ମ୍ୟାନେଜର କାର୍ଯ୍ୟାଳୟ ନିକଟ ରେଳ ଧାରଣା ଉପରେ ଦୁଷ୍କର୍ମର ଶିକାର ହୋଇଛନ୍ତି ବିବାହିତା ମହିଳା । ସୂଚନାଯୋଗ୍ୟ ଯେ, ସୋମବାର ରାତି ପାଖାପାଖି ୮ଟାରେ ମହିଳା ଜଣଙ୍କ ଦିନମଜୁରୀ କାମ ସାରି ରେଳ ଧାରଣା ଦେଇ ଘରକୁ ଫେରୁଥିଲେ । ଆଉ ରେଳ ଧାରଣା ଉପରେ ଦେଖା ହୋଇଥିଲେ ପରିଚିତ ଯୁବକ । ନିଶାସକ୍ତ ଅବସ୍ଥାରେ ଥିଲେ ଯୁବକ । ଅନ୍ଧାର ସହ ନିଛାଟିଆର ସୁଯୋଗ ନେଇ ଜୋରଜବରଦସ୍ତି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଉ ଦୁଇ ଜଣ ଯୁବକ । ଗଣଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ସମୟରେ ଉଲଗ୍ନ ଅବସ୍ଥାରେ ଘଟଣାସ୍ଥଳରୁ କୌଶଳ କ୍ରମେ ଖସି ଯାଇ ନିକଟସ୍ଥ ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳରେ ପହଞ୍ଚିଥିଲେ ମହିଳା । କର୍ମଚାରୀ ମାନେ ସ୍ଥାନୀୟ ଲୋକଙ୍କୁ ଡାକି ପୀଡ଼ିତା ମହିଳାଙ୍କୁ କପଡ଼ା ପିନ୍ଧାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ରଘୁନାଥପାଲ୍ଲୀ ପୋଲିସ ସହ ରେଳବାଇ ପୋଲିସ ପହଞ୍ଚିଥିଲା । ଆଉ ଘଟଣାର ଦୁଇ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ କବଜାକୁ ନେଇଥିଲା ପୋଲିସ । ଫେରାର ଥିବା ତୃତୀୟ ଯୁବକକୁ ମଙ୍ଗଳବାର ପୋଲିସ ଧରି ପଚରାଉଚରା କରି ଛାଡ଼ି ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କାହ୍ନୁଚରଣ ଜେନାକୁ ଗିରଫ କରିଛି । ଅନ୍ୟପଟେ ପୀଡ଼ିତା ମହିଳାଙ୍କ ଡ଼ାକ୍ତରୀ ମାଇନା ସରିଛି ।

ସେପଟେ ମୁଖ୍ୟ ଅଭିଯୁକ୍ତର ବାପା କହିଛନ୍ତି, ପୁଅ ଭୁଲ କରିଥିବାରୁ ପୋଲିସ ନେଇଛି । ବାରମ୍ବାର ନିଶାସକ୍ତ ହୋଇ ଗଣ୍ଡଗୋଳ କରେ । ଅନେକ ସମୟରେ ପୋଲିସ ଥାନାକୁ ନିଏ, ତାକୁ ଥାନାରୁ ମୁକୁଳାଇ ଆଣେ । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା କହି ପୋଲିସ ବିଭାଗକୁ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ରାଉରକେଲା ପୋଲିସ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଥାନା ପଛପଟେ ରିର୍ଜଭ ପୋଲିସ ନିକଟରେ ଦୁଷ୍କର୍ମ ହେଉଛି ହେଲେ କେହି ଟେର ପାଉନାହାନ୍ତି କେମିତି ?