ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଜଙ୍ଗଲ ବାବୁ ଗିରଫ, କୋଟି କୋଟି ଟଙ୍କାର ସମ୍ପତି ଠାବ

NEWS7
old-woman-came-crawling-for-the-aadhaar-card

ଭୁବନେଶ୍ବର ୨୭।୧୨: କୋଟିପତି ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ । ଶୁକ୍ରବାର ଚଢ଼ାଇ ବେଳେ ଜଙ୍ଗଲ ବାବୁଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ଠାବ ହୋଇଥିଲା । ଏହାସହ ଘରୁ ନଗଦ ଲକ୍ଷାଧିକ ଟଙ୍କା ଓ ୬୬.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା । ବାବୁଙ୍କର ୨ଟି ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

ପେଶା ଜଙ୍ଗଲ ଜଗିବା କିନ୍ତୁ ନିଶା ଜଙ୍ଗଲ ଲୁଟିବା, ଏବେ ଏମିତି ଚର୍ଚ୍ଚା । ଜଙ୍ଗଲ ବାବୁ ନିରଞ୍ଜନ ଶତପଥୀଙ୍କର ଘର ଦେଖି ଆଖି ଟେରା ହୋଇଯିବ । ଭୁବନେଶ୍ବରେ ଝାରପଡ଼ାରେ ଥିବା ଘରର ସାଜସଜ୍ଜା ଦେଖିଲେ ଜଙ୍ଗଲ ବାବୁଙ୍କ ସଉକ ଜାଣିପାରିବେ । କାଠରେ ତିଆରି ବଡ଼ ବଡ଼ ମୂର୍ତ୍ତି, କାଠରେ ତିଆରି ଯୁଗଳ ହସ୍ତୀ, ଘରର ଚେୟାର, ବେଞ୍ଚ, ସୋଫା, ଖଟ ଚିକ୍ ଚିକ୍ କାଠରେ ତିଆରି କରିବା ସହ ବିଭିନ୍ନ ମୂର୍ତ୍ତିମାନ ଘରେ ସଜେଇଛନ୍ତି । କୋରାପୁଟ ସେମିଳିଗୁଡ଼ାର ଫରେଷ୍ଟର ଥିବା ନିରଞ୍ଜନ ଶତପଥୀଙ୍କ ଘରେ ଶୁକ୍ରବାର ପଶିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ଭିଜିଲାନ୍ସ ଟିମ୍ ଯାହା ଦେଖିଥିଲେ ତାଟକା ହୋଇଯାଇଥିଲେ ।

ଜଙ୍ଗଲ ବାବୁଙ୍କର ଭୁବନେଶ୍ବରରେ ୨ଟି ବହୁତଳ କୋଠା, କୋରାପୁଟ ସେମିଳିଗୁଡାରେ ଗୋଟିଏ ବିଲ୍ଡିଂ, ବିଭିନ୍ନ ସ୍ଥାନରେ ୭ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଥିଲା । ଝାରପଡ଼ା ଘର ସହ ଜଗତସିଂହପୁର ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ । ଘରୁ ମିଳିଥିଲା ୯ ଲକ୍ଷ ୨୮ ହଜାର ଟଙ୍କା । ଏହାସହ ୬୬.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା । ବହୁ ସଂଖ୍ୟାରେ ବ୍ୟାଙ୍କ୍ ପାସ୍ବୁକ୍, ବିଭିନ୍ନ ଦେଶର କରେନ୍ସି, ଦାମୀ କାର୍, ପ୍ରାୟ କେଜିଏ ସୁନା ଅଳଙ୍କାର ଠାବ ହୋଇଥିଲା । ସେଥିମଧ୍ୟରୁ ୬ଟି ବଡ଼ ସୁନା ହାର, ୪ଟି ମୋଟା ସୁନା ଚେନ୍, ଗୋଲ୍ଡ ଏବଂ ସିଲଭର କଏନ୍, କାନଫୁଲ ସହିତ ହୀରା ମୁଦି ଓ ଦାମୀ ଅତର ପାଇଥିଲା ଭିଜିଲାନ୍ସ । ଘରର କାନ୍ଥ ସିଲିଂ ଏବଂ କୋଣ ଅନୁକୋଣରେ ପିତଳ, ଚାନ୍ଦି, ତମ୍ବା ଓ ଦାମୀ ଶାଗୁଆନ କାଠରେ ସାମଗ୍ରୀ ସୁସଜ୍ଜିତ ରହିଥିଲା । ଠାକୁର ଘର ସିଂହାସନ ତଳେ ଲୁଚା ଯାଇଥିବା ସୁନା ବାକ୍ସ ପାଇଥିଲା ଭିଜିଲାନ୍ସ । ଟଙ୍କା ଗଣିଗଣି ହାଲିଆ ହେବା ପରେ ଟଙ୍କା ଗଣିବା ପାଇଁ ମେସିନ ମଧ୍ୟ ବ୍ୟବହାର ହୋଇଥିଲା ।

୧୯୮୮ ମସିହା ଜାନୁଆରୀ ୨୫ରେ ଫରେଷ୍ଟ ଗାର୍ଡ ଭାବେ କୋରାପୁଟ ଫରେଷ୍ଟ ଡିଭିଜନରେ କାର୍ଯ୍ୟରେ ଯୋଗ ଦେଇଥିଲେ ନିରଞ୍ଜନ ଶତପଥୀ । ସେତେବେଳେ ତାଙ୍କ ଦରମା ଥିଲା ୬୨୫ ଟଙ୍କା । ବାବୁ ଏତେ ସମ୍ପତିର ମାଲିକ ହେଲେ କିପରି ? କେଉଁ ସୋର୍ସରୁ ବାବୁ ଏତେ କମେଇ କଲେ ତାହାର ତଦନ୍ତ ଚାଲିଛି । କେବଳ ଗୋଟିଏ ରାଙ୍କ ପଦୋନ୍ନତି ପାଇଥିବା ବେଳେ ଏତେ ବର୍ଷ କେମିତି ଗୋଟିଏ ରେଞ୍ଜ୍ରେ ଏତେଦିନ ରହିଲେ ଆଉ କାହା ଛତ୍ରଛାୟାରେ ରହିଲେ ସେ ନେଇ ପ୍ରଶ୍ନ ଉଠିଛି ।