ମୁଜଫରନଗର ୧।୧: ପାଖାପାଖି ୩୦ ବର୍ଷ ପରେ ଜଣେ ୭୯ ବର୍ଷ ବୟଷ୍କ ବ୍ୟକ୍ତି ପଶ୍ଚିମବଙ୍ଗ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ନିମନ୍ତେ କାଗଜପତ୍ର ଏକତ୍ର କରିବାକୁ ଘରକୁ ଫେରିଛନ୍ତି। ପରିବାର ଲୋକେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ। କାରଣ ଦୀର୍ଘ ବର୍ଷରୁ ତାଙ୍କର କୌଣସି ଖୋଜ ଖବର ନଥିଲା। ତେବେ ସେ ଅଚାନକ ଘରକୁ ଫେରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏସଆଇଆର ଯୋଗୁ ପରିବାର ପୁଣି ଏକତ୍ର ହୋଇଥିବା ବେଳେ ଘରକୁ ପୁଣି ଖୁସି ଫେରିଛି।

ମୁଜଫର ନଗର ଖତୌଲୀର ବାସିନ୍ଦା ସରିଫ ଅହମଦ (୭୯) ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ। ତେବେ ୧୯୯୭ ମସିହାରେ ରୋଜଗାର ଅନ୍ୱେଷଣରେ ସେ କୋଲକାତା ଯାଇଥିଲେ ଯେ ଆଉ ଘରକୁ ଫେରିନଥିଲେ। ଏପରିକି ସେ ଘରକୁ ଚିଠିପତ୍ର ମଧ୍ୟ ଲେଖୁନଥିଲେ। ଏଣୁ ସେ ପରିବାର ଲୋକଙ୍କ ପାଇଁ ଏକପ୍ରକାର ‘ନିଖୋଜ’ ଥିଲେ। ପରିବାର ଲୋକେ ତାଙ୍କର ଖୋଜ ଖବର ନେବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ କୋଲକାତା ସହରରେ ତାଙ୍କୁ ଖୋଜିବେ କେଉଁଠି? ତାଙ୍କର ପତା ଠିକଣା ନଥିବାରୁ ପରିବାର ଲୋକେ ଅନେକ ବର୍ଷ ପରେ ମୃତ ଭାବି ନେଇଥିଲେ।

ତେବେ ପଶ୍ଚିମବଙ୍ଗରେ ଚାଲିଥିବା ଏସଆଇଆର ଅଭ୍ୟାସ ନିମନ୍ତେ କାଗଜପତ୍ର ସଂଗ୍ରହ ପାଇଁ ସରିଫ ଡିସେମ୍ବର ୨୯ ତାରିଖ ଦିନ ଘରକୁ ଫେରିଥିବା ତାଙ୍କ ପୁତୁରା ୱସିମ ଗଣମାଧ୍ୟମକୁ କହିଛନ୍ତି। ୱସିମ କହିଛନ୍ତି ଯେ ତାଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା। ଏପରିକି ଆମେ ପଶ୍ଚିମବଙ୍ଗ ମଧ୍ୟ ଯାଇଥିଲୁ। ତାଙ୍କ ଦ୍ୱିତୀୟ ପତ୍ନୀ ଦେଇଥିବା ଠିକଣାରେ ବି ଖୋଜାଖୋଜି କରିଥିଲୁ, ହେଲେ ସବୁ ଉଦ୍ୟମ ବିଫଳ ହୋଇଥିଲା।

ଦୀର୍ଘ ବର୍ଷରୁ ଘର ପରିବାର ସହ ସମ୍ପର୍କ ନଥିବାରୁ ତାଙ୍କର ୪ ଝିଅ ତାଙ୍କୁ ମୃତ ମାନି ନେଇଥିଲେ। ସରିଫ କହିଛନ୍ତି ପଶ୍ଚିମବଙ୍ଗ ଏସଆଇଆର ନିମନ୍ତେ କାଗଜପତ୍ର ପାଇଁ ସେ ନିଜ ଘରକୁ ଫେରିଥିଲେ। ଏଣୁ ଏସଆଇଆର ଯୋଗୁ ପୁଣି ଥରେ ପୈତୃକ ସ୍ଥାନକୁ ଆସିବାକୁ ତାଙ୍କୁ ପ୍ରେରଣା ମିଳିଛି। ସେ ଫେରିବା ପରେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ପିତା ଓ ଭାଇଙ୍କ ସମେତ ପରିବାରର ଅନେକ ନିକଟ ସମ୍ପର୍କୀୟଙ୍କ ପରଲୋକ ହୋଇସାରିଛି। ତେବେ ୱାସିମ କହିଛନ୍ତି ଯେ ପରିବାରର ବଳକା ସଦସ୍ୟ ତାଙ୍କୁ ପାଇ ବେଶ୍ ଖୁସି ଅଛନ୍ତି। ଏତେ ବର୍ଷ ପରେ ତାଙ୍କୁ ଦେଖିବା ଆମ ଲାଗି ବାସ୍ତବରେ ଭାବୁକ ଅନୁଭବ। ତେବେ ସଂକ୍ଷିପ୍ତ ଯାତ୍ରାରେ ସରିଫ ଏସଆଇଆର ପାଇଁ କାଗଜପତ୍ର ସଂଗ୍ରହ କରି ମେଦିନପୁର ଜିଲ୍ଲା ଘରକୁ ଫେରି ଯାଇଛନ୍ତି।