LIVE TV

OLA-UBER ଯୁଗ ଶେଷ, ଆସୁଛି ‘ଭାରତ ଟ୍ୟାକ୍ସି’, ଚାଳକ ନିଜେ ମାଲିକ

NEWS7
Bharat taxi

ନୂଆଦିଲ୍ଲୀ ୨୪।୧୦: ଦେଶରେ ନୂଆ କରି ଆରମ୍ଭ ହେବାକୁ ଯାଉଛି ସମବାୟ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ । ଏହାର ପାଇଲଟ ପ୍ରୋଜେକ୍ଟ ନଭେମ୍ବର ମାସରେ ଦିଲ୍ଲୀରୁ ଆରମ୍ଭ ହେବ। ଏହାର ସଫଳତା ଆଧାରରେ ଧିରେ ଧିରେ ଅନ୍ୟ ରାଜ୍ୟଙ୍କ ସହରାଞ୍ଚଳକୁ ସମ୍ପ୍ରସାରଣ ହେବ। ୬୫୦ ଡ୍ରାଇଭରଙ୍କ ସହିତ ଏହି ଟ୍ୟାକ୍ସି ସେବା ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ, ଏଥିରେ ମହିଳା ‘ସାରଥୀ’ ବି ରହିବେ। ଏହା ପରେ ଡିସେମ୍ବରରେ ଦେଶ ବାକି ରାଜ୍ୟଙ୍କୁ ଏହି ସେବା ସମ୍ପ୍ରସାରଣ ହେବ। ତେବେ ଆସନ୍ତୁ ଜାଣିବା ଭାରତ ଟ୍ୟାକ୍ସି ସମ୍ପର୍କରେ।

ଭାରତ ଟ୍ୟାକ୍ସି ଏକ ସରକାରୀ କ୍ୟାବ୍ ସର୍ଭିସ୍। ଏହାକୁ ସମବାୟ ମନ୍ତ୍ରାଳୟ ଓ ଇ-ଗଭର୍ଣ୍ଣାନସ ଡିଭିଜନ ପ୍ରସ୍ତୁତ କରୁଛନ୍ତି। ଏଥିରେ ଡ୍ରାଇଭର ହିଁ ଏହି ଟ୍ୟାକ୍ସିର ମାଲିକ। ଏଥି ଲାଗି ସହକାର ଟ୍ୟାକ୍ସି କୋ-ଅପରେଟିଭ ଲିମିଟେଡ ସହ ଗତ ଦିନରେ ବୁଝାମଣା ମଧ୍ୟ ହୋଇଛି। ଏହା ଏକ ସଦସ୍ୟତା ଆଧାରିତ ମଡେଲ, ଯାହାକୁ ସହକାର ଟ୍ୟାକ୍ସି କୋ-ଅପରେଟିଭ ଲିମିଟେଡ ଚଳାଇବେ। ଏହା ଠିକ ସେହିପରି କାମ କରିବ ଯେପରି ‘ଅମୂଲ’ କରୁଛି। ଗତ ଜୁନରେ ଏହାର ସ୍ଥାପନା ୩୦୦ କୋଟି ଟଙ୍କାରେ ହୋଇଛି। ଏଥିରେ ଅମୂଲ ନାମ ଏମିତିରେ ନିଆ ଯାଉ ନାହିଁ। କାରଣ ଏହାର ସଞ୍ଚାଳନ ସମିତି ଚେୟାରମ୍ୟାନ ଅମୂଲ ଏମଡି ଜୟେନ ମେହଟ୍ଟା ଅଛନ୍ତି।

ଏଥିରେ ନ୍ୟାସନାଲ କୋ-ଅପରେଟିଭ ଡେଭଲପମେଣ୍ଟ କର୍ପୋରେସନ (ଏନସିଡିସି) ଉପ ପ୍ରବନ୍ଧ ନିର୍ଦ୍ଦେଶକ ରୋହିତ ଗୁପ୍ତା ଭାଇସ ଚେୟାରମ୍ୟାନ ଅଛନ୍ତି। ଦେଶରେ ଭାରତ ଟ୍ୟାକ୍ସି ଆପ ନଭେମ୍ବରରେ ଡାଉନଲୋଡ ହୋଇ ପାରିବ। ପ୍ରଥମେ ପ୍ରଥମେ ଏହି ଆପ ହିନ୍ଦୀ, ଗୁଜରାଟି, ମରାଠୀ ଓ ଇଂରାଜୀରେ ହେବ। ଡିସେମ୍ବରରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜକୋଟ, ମୁମ୍ବାଇ, ପୁଣେରେ ଏହି ଟ୍ୟାକ୍ସି ସର୍ଭିସ ଆରମ୍ଭ ହୋଇଯିବ। ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଲକ୍ଷ୍ନୌ, ଭୋପାଲ ଓ ଜୟପୁରରେ ଏହି ଟ୍ୟାକ୍ସି ଅପରେସନାଲ ଥିବ। ୨୦୨୭-୨୮ରେ ଦେଶର ମୁଖ୍ୟ ସହରାଞ୍ଚଳ ଓ ୨୦୨୮-୨୦୩୦ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହା ସମ୍ପ୍ରସାରିତ ହେବ।

ଏହି ଟ୍ୟାକ୍ସି ସେବାରେ ଯାତ୍ରୀଙ୍କୁ ଫିକ୍ସ ଓ ବାସ୍ତବ ଭଡ଼ାରେ ଯାତ୍ରା ସୁବିଧା ମିଳିବ। ଲୋକେ ଡାୟନାମିକ ପ୍ରାଇସିଂ, ପିକ୍ ପ୍ରାଇସିଂ, ରେନ ପ୍ରାଇସିଂ, କୋଲ୍ଡ ପ୍ରାଇସିଂ ଭଳି ବିଭିନ୍ନ ପ୍ରକାର ଭଡ଼ା ଝିନଝଟରୁ ମୁକ୍ତ ରହିବେ। ଭାରତ ଟ୍ୟାକ୍ସିର ପୋଲିସ ଷ୍ଟେସନ ସହିତ ଇଣ୍ଟିଗ୍ରେସନ ରହିବ। ଟ୍ୟାକ୍ସିରେ ଡିଷ୍ଟ୍ରେସ୍ ବଟନ ରହିବ ଓ ଯାତ୍ରୀ ଅସୁବିଧା ପରିସ୍ଥିତିରେ ଲାଲ ବଟନ ଦବାଇଲେ ନିକଟସ୍ଥ ଥାନାକୁ ସୂଚନା ମିଳିଯିବ। ଡ୍ରାଇଭରଙ୍କ ଠାରୁ କମିସନ ବଦଳେ କେବଳ ସଦସ୍ୟତା ଶୁଳ୍କ ଆଦାୟ କରାଯିବ। ଏଣୁ ପ୍ରତ୍ୟେକ ରାଇଡରେ ୧୦୦% ଆୟ ଡ୍ରାଇଭରଙ୍କ ପକେଟକୁ ଯିବ। ତାଙ୍କୁ କେବଳ ଦୈନିକ, ସାପ୍ତାହିକ ଓ ମାସିକ ଶୁଳ୍କ ଦେବାକୁ ପଡିବ।

ଏହି ଟ୍ୟାକ୍ସି ସେବାରେ ମହିଳା ସାରଥୀ ଅର୍ଥାତ ମହିଳା ଡ୍ରାଇଭର ମଧ୍ୟ ସଂଯୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟରେ ଏହି ସେବାରେ ୧୦୦ ମହିଳାଙ୍କୁ ସାମିଲ କରାଯିବ ଓ ୨୦୩୦ ସୁଦ୍ଧା ସେବାରେ ୧୫ ହଜାର ମହିଳାଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖା ଯାଇଛି।