କଟକ: ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ଉପସଭାପତି କେବେ ସୁଦ୍ଧା ନିଯୁକ୍ତ ହେବେ ? ଏକାଡେମୀ  ସଧାରଣ ପରିଷଦ ଗଠନ ପାଇଁ କି ପଦକ୍ଷେପ ନିଆଯାଇଛି, ତା ଉପରେ ରାଜ୍ୟ ସରକାରଙ୍କୁ ଆଜି ଜବାବ ତଲବ କରିଛନ୍ତି ହାଇକୋର୍ଟ। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ୧୯୫୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠିତ ହୋଇଥିଲା। ଏକାଡେମୀର ସମ୍ବିଧାନ ଅନୁସାରେ ରାଜ୍ୟ ସରକାର ସଭାପତି ଓ ଉପସଭାପତିଙ୍କୁ ନିଯୁକ୍ତ କରନ୍ତି । ତେବେ ଏ ପର୍ଯ୍ୟନ୍ତ ସଭାପତି ଓ ଉପସଭାପତି ନିଯୁକ୍ତ ହୋଇ ପାରିନି।

ଏକାଡେମୀର ସାଧାରଣ ପରିଷଦ ଗଠନରେ ମଧ୍ୟ ସରକାରଙ୍କ ପ୍ରମୁଖ ଭୂମିକା ରହିଛି। କିନ୍ତୁ ୨୦୨୪ ମେ ମାସ ୨୦ ତାରିଖରେ ପୂର୍ବତନ ସଭାପତି ଓ ଉପସଭାପତି ତାଙ୍କର କାର୍ଯ୍ୟକାଳ ପୂରା କରି ଅବ୍ୟାହତି ନେଇଥିଲେ ମଧ୍ୟ ରାଜ୍ୟ ସରକାର ଏଯାଏଁ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତ କରିନାହାନ୍ତି। ୨୦୨୩ ଜୁଲାଇ ମାସ ୨୦ ତାରିଖରେ ପୁରୁଣା ସାଧାରଣ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ନୂତନ ସଧାରଣ ପରିଷଦ ଗଠନ ହୋଇନାହିଁ । ଏହାଫଳରେ ଓଡିଶା ସାହିତ୍ୟ ଏକାଡେମୀ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ କିମ୍ବା ଏହାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଏସବୁକୁ ପ୍ରସଙ୍ଗ କରି ଆଇନଜୀବୀ ପ୍ରବୀର ଦାଶ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଆସନ୍ତା ମାସ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଛି।