ଚିନ୍ତା ବଢାଇଲା ମୋଦୀ-ପୁଟିନ୍ ସେଲଫି, ସି-୫ ଗଠନ ପାଇଁ ଟ୍ରମ୍ପଙ୍କ ଯୋଜନା

NEWS7
odisha-government-rains-money-on-indian-hockey-team-who-win-bronze-medal-in-olympics-2024

ଓ୍ୱାଶିଂଟନ ଡିସି ୧୩/୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କିଛିଦିନ ତଳେ ଭାରତ ଓ ରୁଷ୍‌କୁ ନେଇ ବଡ଼ ଟିପ୍ପଣୀ ଦେଇଥିଲେ । କହିଥିଲେ, ‘ଘନ ଅନ୍ଧକାର ଚୀନ୍’ ହାତରେ ଭାରତ ଓ ରୁଷ୍କୁ ହରାଇ ଦେଇଛି ଆମେରିକା । ବାସ୍ତବରେ ଟ୍ରମ୍ପ୍‌ଙ୍କ ପ୍ରତିକୂଳ ନୀତି ଯୋଗୁ ହିଁ ଏଭଳି ସ୍ଥିତି ଉପୁଜିଛି । ତେବେ ୪ ତାରିଖରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭାରତ ଗସ୍ତ ପରେ ଆମେରିକାକୁ ଶକ୍ତ ଧକ୍କା ଲାଗିଛି । ପ୍ରବଳ ଚାପର ବଶବର୍ତ୍ତୀ ହୋଇ ଟ୍ରମ୍ପ୍‌ଙ୍କ ସ୍ୱର ବଦଳିଛି । ଏବେ ସେ ଭାରତ-ଚୀନ-ରୁଷ କ୍ଲବରେ ସାମିଲ ହେବାକୁ ଚାହୁଁଛନ୍ତି ।

ନିକଟରେ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ୍ ଆମେରିକା, ଭାରତ, ରୁଷ, ଚୀନ ଓ ଜାପାନକୁ ନେଇ ନୂଆ କୋର୍-୫ ବା ସି-୫ ଗଠନ କରିବାକୁ ମନ ବଳାଇଛନ୍ତି । ଏହି ନୂଆ ସଙ୍ଗଠନ ଗ୍ରୁପ୍-ସେଭେନ (ଜି-୭) ଦେଶଗୁଡ଼ିକର ସ୍ଥାନ ନେବ । ଜି-୭ରେ ଧନୀ ରାଷ୍ଟ୍ରଗୁଡ଼ିକ ଯଥା ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, କାନାଡା, ଇଟାଲୀ ଓ ଜାପାନ ଭଳି ଦେଶ ରହିଛନ୍ତି । କିନ୍ତୁ ଟ୍ରମ୍ପ୍ ଏବେ ଆମେରିକା ସହ ଆଉ ୪ଟି ଦେଶକୁ ନେଇ ଏକ ଶକ୍ତିଶାଳୀ ନୂଆ ମଞ୍ଚ ଗଢ଼ିବାକୁ ଯୋଜନା ବନାଉଛନ୍ତି ।

​​​​​​​

ବର୍ତ୍ତମାନ ଏ ନେଇ ଔପଚାରିକ ଭାବେ କିଛି କୁହାଯାଇନାହିଁ । ଆମେରିକୀୟ ୱେବସାଇଟ ପଲିଟିକୋ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି । ଏହା ମୁତାବକ, ପ୍ରସ୍ତାବିତ ସି-୫ ନାମକ ନୂଆ ଚିନ୍ତାଧାରା ପ୍ରକୃତରେ ଜାତୀୟ ସୁରକ୍ଷା ରଣନୀତିର ଏକ ଚିଠାରେ ଉଲ୍ଲେଖ ଥିଲା । ଏହି ଚିଠାକୁ ଉନ୍ମୋଚନ କରାଯାଇ ନଥିଲା । ରିପୋର୍ଟ ଅନୁସାରେ, ସି-୫ ମଞ୍ଚରେ କେବଳ ଶକ୍ତିଶାଳୀ ଦେଶକୁ ସାମିଲ କରାଯିବ । ଉକ୍ତ ଦେଶ ଗଣତାନ୍ତ୍ରିକ ହେଉ କି ନ ହେଉ, କୌଣସି ଫରକ ପଡ଼ିବ ନାହିଁ । ଦେଶଗୁଡ଼ିକର ଜନସଂଖ୍ୟା ୧୦୦ ନିୟୁତ ବା ୧୦ କୋଟିରୁ ଅଧିକ ।

ଏହା ନିୟମିତ ବୈଠକ କରିବ ଏବଂ ପ୍ରମୁଖ ପ୍ରସଙ୍ଗକୁ ନେଇ ସମ୍ମିଳନୀ ଆୟୋଜନ କରିବ । ଏହାର ପ୍ରଥମ ଏଜେଣ୍ଡା ମଧ୍ୟପ୍ରାଚ୍ୟର ସୁରକ୍ଷା, ବିଶେଷକରି ଇସ୍ରାଏଲ୍ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାଭାବିକ ସମ୍ପର୍କକୁ ସୁନିଶ୍ଚିତ କରିବାକୁ ହେବ । ପୂର୍ବରୁ ଏହା ଅସମ୍ଭବ ମନେ ହେଉଥିଲା । କିନ୍ତୁ ଏବେ ବିଶେଷଜ୍ଞଙ୍କ ଅନୁସାରେ, ସି-୫ ଯୋଜନା ଟ୍ରମ୍ପ୍ଙ୍କ ଚିନ୍ତାଧାରା ସହ ମେଳ ଖାଉଛି ।

ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ସହ ସିଧାସଳଖ ଭାବେ ଚୁକ୍ତି କରିବାକୁ ଉଦ୍ୟମ କରୁଛନ୍ତି । ଯେମିତି କି ବେଜିଂକୁ ଏନ୍ଭିଡିଆର ଏଚ୍୨୦୦ ଏଆଇର ବିକ୍ରିକୁ ଅନୁମତି ଦେବା, ନିଜ ଦୂତ ଷ୍ଟିଭ୍ ୱିଟକଫ ଏବଂ ଜେରେଡ କୁଶନରଙ୍କୁ ମସ୍କୋ ପଠାଇବା । ଟ୍ରମ୍ପ୍ ପ୍ରଶାସନରେ ପୂର୍ବରୁ କାମ କରିଥିବା ଜଣେ ଅଧିକାରୀ କହିଛନ୍ତି, ଟ୍ରମ୍ପ୍ ବାସ୍ତବରେ ଆମେରିକା, ଭାରତ, ରୁଷ୍, ଚୀନ୍ ଓ ଜାପାନକୁ ନେଇ ସି-୫ ଗଢ଼ିବାକୁ ଚାହାନ୍ତି । ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।