ଅତି ଖରାପ ସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ଘନ କୁହୁଡି ଏବଂ ଧୂଆଁ ପାଇଁ ଅରେଞ୍ଜ୍ ଆଲର୍ଟ

NEWS7
odisha-cm-said-odishas-economy-to-touch-500-billion-by-2036

ନୂଆଦିଲ୍ଲୀ, ୨୯/୧୨: ବିଷ ବଳୟରେ ଦିଲ୍ଲୀ । ଜନଜୀବନ ଅସ୍ତବ୍ୟସ୍ତ । ରବିବାର ରାତିରୁ ସୋମବାର ସକାଳ ଯାଏଁ ପ୍ରବଳ କୁହୁଡି ଏବଂ ବିଷାକ୍ତ ଧୂଆଁର ଚାଦରରେ ରାଜଧାନୀ ଘୋଡେଇ ହୋଇ ରହିଛି । ଫଳରେ ଭିଜିବିଲିଟି ପୁରା କମିଯାଇଛି । ଏସବୁ ଭିତରେ ସବୁଠୁ ବଡ ସମସ୍ୟା ପାଲଟିଛି ବାୟୁ ପ୍ରଦୂଷଣ । କେବଳ ଦିଲ୍ଲୀ ନୁହେଁ ଆଖପାଖର ରାଜ୍ୟ ଯେପରିକି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ଯାହାକୁ ନଜରରେ ରଖି ପାଣିପାଗ ବିଭାଗ ଅରେଞ୍ଜ୍ ଆଲର୍ଟ ଜାରି କରିଛି ।

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର କହିବାନୁସାରେ, ଦିଲ୍ଲୀର ବାୟୁ ମାନକ ଅତି ଖରାପ ହେବାକୁ ବସିଲାଣି । ଏହା ପୁଣି ଥରେ ଅତି ଖରାପ ତାଲିକାକୁ ଆସିଯାଇଛି । ସହରରେ ଏୟାର କ୍ୱାଲିଟି ଇନଡେକ୍ସ ବା ଏକ୍ୟୁଆଇ ୩୯୦ ରହିଛି ।

ସେପଟେ ଉତ୍ତରପ୍ରଦେଶରେ ଦୀର୍ଘ ଦିନ ଧରି ଜାରି ରହିଥିବା ଶୀତ ଲହରି ପାଇଁ ଜାନୁଆରୀ ୧ ଯାଏଁ ସମସ୍ତ ସ୍କୁଲକୁ ଛୁଟି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ରାଜ୍ୟରେ ପ୍ରବଳ ଶୀତକୁ ଦେଖି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ବିମାନବନ୍ଦର ପାଇଁ ମାର୍ଗଦର୍ଶିକା

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘନ କୁହୁଡି ପାଇଁ ଭ୍ରମଣ ମାର୍ଗଦର୍ଶିକା ଜାରି କରାଯାଇଛି । କାରଣ ସହରରେ ପୁଣି ଥରେ ଏକ୍ୟୁଆଇ ଅତି ଖରାପ ସ୍ତରକୁ ଆସିଯାଇଛି । ରବିବାର ରାତି ପ୍ରାୟ ୧୧ଟା ୨୦ରେ ଏକ୍ୟୁଆଇ ୪୦୪ ଥିଲା । ତେଣୁ ବିମାନବନ୍ଦରରେ କିଛି ବିମାନ ବାତିଲ ହୋଇପାରେ । ତେବେ ସମସ୍ତ ଯାତ୍ରୀଙ୍କୁ ଉଚିତ ସୁବିଧା ପ୍ରଦାନ କରାଯିବ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି ।