ଭୁବନେଶ୍ୱର ୨୦।୦୯ : ଆଜି ପୁଣି କମ୍ପିବ ବିଧାନସଭା । ଅନାସ୍ଥା ପ୍ରସ୍ତାବ ଆଣି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବ କଂଗ୍ରେସ । ସେପଟେ ସାର ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିବାକୁ ପ୍ଲାନ କରିଛି ବିଜେଡ଼ିସମସ୍ତ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା ।

ଶନିବାର ପୁଣି ହୁଲୁସ୍ତୁଲ ରହିବ ବିଧାନସଭା । ସାର ବନାମ ଅନାସ୍ଥାକୁ ନେଇ ଗୃହ ସରଗରମ ରହିପାରେ । ଅନାସ୍ଥା ପ୍ରସ୍ତାବ ନେଇ ବାଚସ୍ପତିଙ୍କ ଦୁଷ୍ଟି ଆକର୍ଷଣ କରିବ କଂଗ୍ରେସ। ଶୁକ୍ରବାର କଂଗ୍ରେସର ଅନାସ୍ଥା ନୋଟିସ ପାଇଥିବା ନେଇ ବାଚସ୍ପତି ଜଣାଇଥିଲେ । ହେଲେ ଗୃହ ଅର୍ଡରରେ ନଥିବାରୁ ବିଚାରକୁ ନିଆଯାଇ ପାରୁନଥିବା କହିଥିଲେ । ଏଣୁ ଆଜି ପୁନର୍ବାର କଂଗ୍ରେସ ଅନାସ୍ଥା ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିପାରେ। ଏହାବାଦ କଂଗ୍ରେସ ଗୃହରେ ଅନାସ୍ଥା ନୋଟିସ ଦେବା ପୂର୍ବରୁ ଗଣମାଧ୍ୟମରେ ଆସିଥିବାରୁ ବିଜେପି ବି କଂଗ୍ରେସ ସଦସ୍ୟଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି। ତେଣୁ ଗୃହ ଆଜି ସରଗରମ ରହିପାରେ ।

ସେହିପରି ବିଜେଡିର ଆଭିମୁଖ୍ୟ ଉପରେ ବି ସମସ୍ତଙ୍କ ନଜର ରହିଛି । ଶୁକ୍ରବାର ରାଜ୍ୟରେ ସାର ସଙ୍କଟକୁ ନେଇ ବିଜେଡି ଗୃହକୁ ଅଚଳ କରିଥିବା ବେଳେ ଆଜି ବି ସମାନ ପ୍ରସଙ୍ଗ ଉଠାଇପାରେ ବିଜେଡି। ପ୍ରଶ୍ନକାଳ ଯଦି ସ୍ଵାଭାବିକ ରୁହେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନୋତ୍ତର ନେଇ ବି ଆଲୋଚନା ହେବ।