ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ି ଯାଇଛି। ଶନିବାର ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଛି ବୋଲି ଭୁବନେଶ୍ୱର ଏମ୍ସ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦେଇଛିଗତ ୨୪ ଘଣ୍ଟାରେ ତାଙ୍କର ସ୍ଥିତି ଅଧିକ ଖରାପ ହୋଇଥିବା ଏମ୍ସ କହିଛି।

୫୪ ବର୍ଷୀୟ ମଜମୁଦାର ଏକାଧିକ ରୋଗଗ୍ରସ୍ତ ହୋଇ ଅଗଷ୍ଟ ୨୭ ତାରିଖରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସେଠାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୪ ତାରିଖରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।

ତେବେ ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇ ନାହିଁ। ଆଡମିସନ ହେବା ପରଠାରୁ ସେ ଅଚେତ ଅବସ୍ଥାରେ ଅଛନ୍ତି ବୋଲି ଭୂବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଯାଞ୍ଚ ପରେ ଏହା ଜଣାପଡ଼ିଛି ଯେ ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ଅଛନ୍ତି। ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଛି। ରକ୍ତରେ ସଂକ୍ରମଣ ଓ ପୁରୁଣା କିଡନୀ ରୋଗ ସହ ଭିଟାମିନ 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ୱର ଅଭାବ ରହିଛି ବୋଲି ଜଣାପଡ଼ିଛି। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। କିନ୍ତୁ ଶନିବାର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।