ନୂଆଦିଲ୍ଲୀ – ପାକିସ୍ତାନ ଓ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ମାହୋଲ ସରଗରମ ହେବାରେ ଲାଗିଛି। କତାର ଓ ତୁର୍କୀର ମଧ୍ୟସ୍ଥତାରେ ଇସ୍ତାନବୁଲରେ ହୋଇଥିବା ଶାନ୍ତି ବାର୍ତ୍ତା ବିଫଳ ହୋଇ ସାରିଛି, ଏହାପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ହିଂସା ବଢିବାର ଆଶଙ୍କା ରହିଛି। ଏପରି ଉତ୍ତେଜିତ ସ୍ଥିତି ମଧ୍ୟରେ ଏବେ ଦୁଇ ଦେଶର ପଡୋଶୀ ଇରାନ ମଧ୍ୟସ୍ଥତାର ପ୍ରସ୍ତାବ ନେଇ ଆସିଛି। ଇରାନର ବିଦେଶ ମନ୍ତ୍ରୀ ଅବାସ୍‌ ଅରାଗଚୀ କାବୁଲ ଓ ଇସଲାମାବାଦ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଆଇଆରଏନଏ ମୁତାବିକ , ଶନିବାର ରାତିରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ୍ ଡାରଙ୍କ ସହ କଥାବାର୍ତ୍ତା ବେଳେ ଅରାଗଚୀ ଏହି ପ୍ରସ୍ତାବ ରଖିଥିଲେ। ଆଲୋଚନା ବେଳେ , ଇରାନୀ ବୈଦେଶିକ ମନ୍ତ୍ରୀ ଇରାନ ଓ ପାକିସ୍ତାନ ମଧ୍ୟରେ ଏକ ଗଭୀର ବନ୍ଧୁତା ଓ ଐତିହାସିତ ସମ୍ୱନ୍ଧର ଉଲ୍ଲେଖ କରି ଦୁହିଁଙ୍କର ହିତ ସହ ଜଡ଼ିତ ବନ୍ଧୁ ମୁସଲିମ୍‌ ରାଷ୍ଟ୍ର ବୋଲି କହିଥିଲେ।

ଆଫଗାନିସ୍ତାନ ତାଲିବାନ ସହ ପାକିସ୍ତାନର ଉତ୍ତେଜନା ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତ କରି ଅରାଗଚୀ ମତଭେଦକୁ ଦୂର କରି, କଥାବାର୍ତ୍ତା ଜରିଆରେ ମାମଲାକୁ ସମଧାନ କରିବାକୁ ଅନୁରୋଧ କରିଥିଲେ। ଅରାଗଚୀ ଏହି କଥା ଉପରେ ଜୋର ଦେଇଥିଲେ ଯେ, ଦୁଇ ଦେଶ ମଧ୍ୟରେ ଶାନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ ସହ କ୍ଷେତ୍ର ପାଇଁ ମଧ୍ୟ ଜରୁରୀ ।

ଉକ୍ତ କଥାବାର୍ତ୍ତା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ଇରାନୀ ବୈଦେଶିକ ମନ୍ତ୍ରୀଙ୍କୁ ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ସୂଚନା ଦେଇଥିଲେ। ଏଥିରେ ସେ ଇସ୍ତାନବୁଲରେ ସଂପନ୍ନ ହୋଇଥିବା ଶାନ୍ତି ବାର୍ତ୍ତା ଓ ଅନ୍ୟ କୂଟନୀତିକ ପ୍ରୟାସ ବିଷୟରେ ମଧ୍ୟ କହିଥିଲେ , ଯାହା ଉପରେ ଦୁଇ ଦେଶର ସହମତି ହୋଇ ପାରି ନଥିଲା। ହେଲେ, ଡାର ଏଠାରେ ଏହି କଥାରେ ଜୋର ଦେଇଛନ୍ତି ଯେ, ସେ ଆଫଗାନିସ୍ତାନ ସହ କଥାବାର୍ତ୍ତା ଜାରି ରଖିଛନ୍ତି।

ଏହା ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମାରେ ବିବାଦ ଜାରି ରହିଛି। ଗତ ମାସରେ ପାକିସ୍ତାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିମାନ ଆକ୍ରମଣ କରିଥିଲା, ଏହାପରେ ସୀମାରେ ଉତ୍ତେଜନା ବଢିଥିଲା। ଆଫଗାନିସ୍ତାନ ତାଲିବାନ ପକ୍ଷରୁ କରାଯାଇ ଥିବା ହମଲାରେ ପାକିସ୍ତାନର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା। ହେଲେ ଆଫଗାନିସ୍ତାନର ଅନେକ ସାଧାରଣ ନାଗରିକଙ୍କର ମଧ୍ୟ ଜୀବନ ଯାଇଥିଲା। ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ମଧ୍ୟରେ ତୁର୍କୀର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଏକ ସଂଘର୍ଷବିରାମ ହୋଇଥିଲା, କିନ୍ତୁ ଏହା ଦୀର୍ଘ ସମୟ ଯାଏ ଚାଲି ପାରି ନଥିଲା। ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ହମଲା କରିଥିଲା।