ଚଣ୍ଡିଗଡ଼ ୩୦।୪: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ବରିଷ୍ଠ ଅଧିକାରୀ ଅଶୋକ ଖେମକା ୩୦ ଏପ୍ରିଲ ବୁଧବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ନିଜର ସଚ୍ଚୋଟତା ପାଇଁ ଚର୍ଚ୍ଚିତ ଖେମକା ୩୪ ବର୍ଷର କ୍ୟାରିୟରରେ ୫୭ ଥର ବଦଳି ହୋଇଛନ୍ତି,ଯାହା କୌଣସି ରାଜ୍ୟରେ ବ୍ୟୁରୋକ୍ରାଟଙ୍କ ବଦଳିରେ ଏକ ରେକର୍ଡ ବୋଲି ମନେ କରାଯାଉଛି। ଖେମକା ପରିବହନ ବିଭାଗର ଅତିରିକ୍ତ ସଚିବ ପଦରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ଡିସେମ୍ବର ୨୦୨୪ରେ ଏହି ପଦବୀକୁ ସ୍ଥାନାନ୍ତରିତ ହୋଇଥିଲେ।
ହରିୟାଣା କ୍ୟାଡରର ୧୯୯୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ୨୦୧୨ ମସିହାରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଜାମାତା ରବର୍ଟ ଭଦ୍ରାଙ୍କ ଗୁରୁଗ୍ରାମ ଜମି କିଣାବିକାର ଦାଖଲ ଖାରଜ (ମ୍ୟୁଟେସନ) ରଦ୍ଦ କରିଦେଇଥିଲେ। ମ୍ୟୁଟେସନ କୌଣସି ଜମିର ମାଲିକାନା ପରିବର୍ତ୍ତନର ଏକ ପ୍ରକ୍ରିୟା। ଯେଉଁଥିରେ ତ୍ରୁଟି ଥିବାର ଦେଖିବା ପରେ ସେ ମ୍ୟୁଟେସନକୁ ନିର୍ଭୟରେ ଅଗ୍ରାହ୍ୟ କରିଦେଇଥିଲେ।
୩୦ ଏପ୍ରିଲ ୧୯୬୫ରେ କୋଲକାତାରେ ଜନ୍ମିତ ଖେମକା ୧୯୮୮ ମସିହାରେ ଭାରତୀୟ ପ୍ରଯୁକ୍ତି ସଂସ୍ଥାନ (ଆଇଆଇଟି) ଖଡଗପୁରରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରି ହାସଲ କରିଥିଲେ। ଏହା ପରେ ସେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (ଟିଆଇଏଫଆର)କମ୍ପ୍ୟୁଟର ସାଇନ୍ସରେ ପିଏଚଡି ଓ ବିଜନେସ ଆଡମିନେଷ୍ଟ୍ରେସନ ଆଣ୍ଡ ଫାଇନାନ୍ସରେ ଏମବିଏ କରିଥିଲେ। ଚାକିରୀ କରିଥିବା ବେଳେ ସେ ପଞ୍ଜାବ ୟୁନିଭର୍ସିଟିରୁ ଆଇନରେ ସ୍ନାତକ (ଏଲଏଲବି) ଡିଗ୍ରି ହାସଲ କରିଥିଲେ।
ଖେମକା ଗତ ୨୦୨୪ ଡିସେମ୍ବର ମାସରେ ପରିବହନ ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲେ। ଏବେ ଅନିଲ ବିଜ୍ ଏହି ବିଭାଗର ମନ୍ତ୍ରୀ ଅଛନ୍ତି। ମନୋହରଲାଲ ଖଟ୍ଟରଙ୍କ ତତ୍କାଳୀନ ସରକାରର ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ପରିବହନ କମିଶନର ପଦରୁ ହଟାଇ ଦିଆଯାଇଥିଲା। ଏହି ବଦଳିର ପାଖାପାଖି ୧୦ ବର୍ଷ ପରେ ତାଙ୍କୁ ପୁଣି ସେହି ବିଭାଗକୁ ବଦଳି କରାଯାଇଥିଲା। ଖଟ୍ଟର ସରକାର ତାଙ୍କୁ ଯେତେବେଳେ ବଦଳି କରିଥିଲେ ସେତେବେଳେ ସେ ମାତ୍ର ୪ ମାସ ପରିବହନ ବିଭାଗ କମିଶନର ଥିଲେ।
ଖେମକା ୨୦୨୩ରେ ତାଙ୍କୁ ଭିଜିଲାନ୍ସ ବିଭାଗରେ ଥରେ ନିଯୁକ୍ତ କରିବା ପାଇଁ ଖଟ୍ଟର ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ଦୁର୍ନୀତିର ମୂଳତ୍ପୋଟନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗତ ୧୨ ବର୍ଷରୁ ଅଧିକ ସମୟ ହେଲା ଖେମକାଙ୍କୁ କମ୍ ଗୁରୁତ୍ୱପୂର୍ଣ୍ଣ (ଲୋପ୍ରୋଫାଇଲ) ବିଭାଗରେ ନିଯୁକ୍ତ କରାଯାଉଥିଲା। ତାଙ୍କ ବୃତ୍ତିଗତ ଜୀବନରେ ପ୍ରତି ୬ ମାସରେ ଥରେ ତାଙ୍କର ବିଭାଗୀୟ ବଦଳି ହେଉଥିଲା।