ଦୁବାଇ ୩୦।୯: ଏସିୟା କପ ୨୦୨୫ ଫାଇନାଲରେ ଭାରତର ଚିତାକର୍ଷକ ବିଜୟ ପରେ ଟ୍ରଫି ଓ ମେଡାଲସ କୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନି। ଏସିୟାନ କ୍ରିକେଟ କାଉନସିଲ (ଏସିସି)ଙ୍କ ମଙ୍ଗଳବାର ବୈଠକରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ଅନ୍ୟପଟେ କାଉନସିଲ ସମସ୍ୟାର ସମାଧାନ ପାଇଁ ୫ ଟେଷ୍ଟ ଖେଳୁଥିବା ଦେଶଙ୍କ ବୋର୍ଡ ଅର୍ଥାତ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛି।

ଏହି ବିବାଦର ମୂଳ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ ମ୍ୟାଚର ପରବର୍ତ୍ତି ଘଟଣା। ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ଏସିୟା କପ ଟାଇଟଲ ଜିତିଥିଲା। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ  ମହସିନ ନକଭୀ ନିଜେ ଟ୍ରଫି ଓ ମେଡାଲ ନେଇ ପଳାଇଛନ୍ତି। ଏହା କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଥିବା ବେଳ ଏବେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି।

ଏସିସି ବୈଠକ ମହସିନ ନକଭୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ବିସିସିଆଇ ପକ୍ଷରୁ ରାଜୀବ ଶୁକ୍ଳ ଓ ଆଶିଷ ସେଲାର ଭର୍ଚୁଆଲୀ ଯୋଗ ଦେଇଥିଲେ। ବୈଠକରେ ଟ୍ରଫି ବିବାଦ ଛଡା ବାକି ପ୍ରସଙ୍ଗ ଯେପରିକି ଉପାଧ୍ୟକ୍ଷ ନିର୍ବାଚନ, ଅଣ୍ଡର-୧୯ ଟୁର୍ଣ୍ଣାମେଣ୍ଟ ସିଡ୍ୟୁଲକୁ ଚୂଡ଼ାନ୍ତ ରୂପା ଦେବା ମଧ୍ୟ ଥିଲା, ହେଲେ ଆଲୋଚନା ହୋଇ ପାରି ନାହିଁ। ତେବେ ଏସିସି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାକିସ୍ତାନ କ୍ରିକେଟ ବୋର୍ଟ (ପିସିବି), ବାଂଲାଦେଶ କ୍ରିକେଟ ବୋର୍ଡ( ବିସିବି), ଶ୍ରୀଲଙ୍କା କ୍ରିକେଟ (ଏସଏଲସି) ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)କୁ ଏକ ଔପଚାରିକ ଅଫଲାଇନ ବୈଠକ କରିବାକୁ ଆଦେଶ ଦେଇଛି, ଯାହାଦ୍ୱାରା  ଟ୍ରଫି ବିବାଦ ସମାଧାନ ପାଇଁ ରାସ୍ତା ବାହାର କରାଯାଇ ପାରିବ।

କେତେକ ରିପୋର୍ଟରେ ଏହା ବି ଦାବି କରାଯାଇଛି ଯେ ମୋହସୀନ ନକଭୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଭାରତ ଏସିୟା କପ ଟ୍ରଫ୍ ଚାହୁଁଛି ତେବେ ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ଏସିସି କାର୍ଯ୍ୟାଳୟକୁ ଆସି ମୋ ଠୁ ଟ୍ରଫି ଗ୍ରହଣ କରୁ। ଏହାର ଅର୍ଥ ହେଉଛି ମହସୀନ ନକଭୀ ଏ ପର୍ଯ୍ୟନ୍ତ ନିଜେ ଟ୍ରଫି ନିଜ ହାତରେ ଦେବା ପାଇଁ ଜିଦରେ ଅଡି ରହିଛନ୍ତି। ତେବେ ଏପରି ହେବା ଅସମ୍ଭବ ମନେ କରାଯାଉଛି।