ବନ୍ଧୁକ ମୁନରେ କୌଣସି ଚୁକ୍ତି ହୁଏନି: ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ କହିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | April 11, 2025 IST

INDIATODAY

ନୂଆଦିଲ୍ଲୀଆମେରିକା ସହିତ ବାଣିଜ୍ୟ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ। ଶୁକ୍ରବାର ଏନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ) ଉପରେ ଭାରତ ଆମେରିକା ସହିତ ନିରନ୍ତର ଆଲୋଚନା ଜାରି ରଖିଛି। ଏବଂ ସରକାର ଦେଶର ସାର୍ବଜନୀନ ସ୍ୱାର୍ଥକୁ ସୁରକ୍ଷା ଦେବା ଦୃଷ୍ଟିରୁ ଅଯଥା ଶୀଘ୍ର କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ବୋଲି ପୀୟୁଷ ଗୋୟଲ କହିଛନ୍ତି।

ଦେଶଗୁଡ଼ିକ ମଧ୍ୟରେ ହେଉଥିବା ସମସ୍ତ ବାଣିଜ୍ୟ ଆଲୋଚନା 'ପ୍ରଥମେ ଭାରତ' ମନୋଭାବ ରଖି ଏବଂ ବିକଶିତ ଭାରତ ୨୦୪୭ ପାଇଁ ପଥ ପରିସ୍କାର କରିବା ଉଦ୍ଦେଶ୍ୟରେ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। 

ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋୟଲ କହିଛନ୍ତି “ ମୁଁ ପୂର୍ବରୁ ବି ଅନେକ ଥର କହିଛି ଯେ ଆମେ ବନ୍ଧୁକ ରଖି କେବେ ଆଲୋଚନା କରୁ ନା। ସମୟ ପ୍ରତିବନ୍ଧକ ଭଲ କାରଣ ଏହା ଆମକୁ ଶୀଘ୍ର କଥା ହେବାକୁ ଉତ୍ସାହିତ କରେ, କିନ୍ତୁ ଯେପର୍ଯ୍ୟନ୍ତ ଆମେ ଦେଶ ଏବଂ ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇପାରିବା ନାହିଁ, ସେପର୍ଯ୍ୟନ୍ତ ହଡ଼ବଡ଼ ହେବା ଆଦୌ ଉଚିତ ନୁହେଁ।”

ଉଭୟ ଦେଶ(ଆମେରିକା ଭାରତ) ମଧ୍ୟରେ ଚଳିତ ବର୍ଷ ଶରତ ଋତୁ (ସେପ୍ଟେମ୍ବର-ଅକ୍ଟୋବର) ସୁଦ୍ଧା ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରହିଛି। ଯାହା ଦ୍ୱାରା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ବର୍ତ୍ତମାନର ୧୯୧ ବିଲିୟନ ଡଲାରରୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାର ଟାର୍ଗେଟ୍ ରଖାଯାଇଛି।
ସେହିପରି ଭାରତ-ୟୁରୋପୀୟ ସଂଘ (ଇୟୁ) ବାଣିଜ୍ୟ ଚୁକ୍ତି ବିଷୟରେ ଗୋୟଲ କହିଛନ୍ତି ଯେ ଯେତେବେଳେ ଉଭୟ ପକ୍ଷ ପରସ୍ପରର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହୁଅନ୍ତି ସେତେବେଳେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିଥାଏ। ତେବେ ମୁଁ କେବଳ ଏତିକି କହିପାରିବି ଯେ ସମସ୍ତ ବାଣିଜ୍ୟ ଆଲୋଚନା ପ୍ରଥମେ ଭାରତର ଉତ୍ସାହ ଏବଂ ବିକାଶିତ ଭାରତ ୨୦୪୭ ପାଇଁ ପଥ ପିରସ୍କାର କରିବା ଉଦ୍ଦେଶ୍ୟରେ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.