୪ ବର୍ଷର ଯୁଦ୍ଧରେ କେତେ ଖର୍ଚ୍ଚ ? ୨.୪ ଟ୍ରିଲିୟନ ଡଲାରର ବିଧ୍ୱଂସ, ଲକ୍ଷାଧିକ ମୃତ, ବିନାଶ ଏବେବି ଜାରି

NEWS7
nimrat-opened-up-about-her-breakup-with-her-ex-boyfriend

ନୂଆଦିଲ୍ଲୀ: ଫେବ୍ରୁଆରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷର ପୂର୍ଣ୍ଣ ସୈନ୍ୟ ଆକ୍ରମଣକୁ ଚାରି ବର୍ଷ ପୂରିଛି । ଚାରି ବର୍ଷର ଏହି ଯୁଦ୍ଧ ଏକବିଂଶ ଶତାବ୍ଦୀର ସବୁଠୁ ଘାତକ, ମହଙ୍ଗା ଓ ଅସ୍ଥିର କରିଥିବା ସଂଘର୍ଷ ପାଲଟିଛି । କିଭ୍‌ର ପତନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଆକ୍ରମଣ ଏବେ ଦୀର୍ଘ ସମୟ ଯାଏଁ ଚାଲିଥିବା ସଂଘର୍ଷର ରୂପ ନେଇଛି । ସୀମାରେଖା ବଦଳି ସାରିଛି, ସହର ନଷ୍ଟ ହୋଇସାରିଛି ଓ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇଛି । ଯୁଦ୍ଧର ପରିଣାମସ୍ୱରୂପ ବ୍ୟାପକ ମୃତାହତ, ଆର୍ଥିକ କ୍ଷତି ଏବଂ ଭୂ-ରାଜନୈତିକ ପରିବର୍ତ୍ତନ ଘଟିଛି । ଚାରି ବର୍ଷ ପରେ, କୌଣସି ପକ୍ଷ ନିର୍ଣ୍ଣାୟକ ବିଜୟ ହାସଲ କରିନାହିଁ ଏବଂ ଜୀବନ, ଭିତ୍ତିଭୂମି ଏବଂ ବୈଶ୍ୱିକ ବ୍ୟବସ୍ଥା ଉପରେ ଯୁଦ୍ଧର ପ୍ରଭାବ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ।

ଏହି ଯୁଦ୍ଧରେ ସବୁଠୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି ମଣିଷକୁ । ଜାତିସଂଘ ଅନୁସାରେ ଫେବ୍ରୁଆରୀ ୨୦୨୨ରୁ ୟୁକ୍ରେନରେ ଅତି କମରେ ୩୦,୪୫୭ ନାଗରିକ ମୃତାହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦,୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଜାତିସଂଘ ଅନୁସାରେ ପ୍ରକୃତ ସଂଖ୍ୟା ଏହାଠାରୁ ବହୁ ଅଧିକ ହୋଇପାରେ । ସୈନ୍ୟ କ୍ଷତିକୁ ନେଇ ଭିନ୍ନ ଭିନ୍ନ ଅନୁମାନ ରହିଛି, କିନ୍ତୁ ସବୁ ରିପୋର୍ଟକୁ ବିଶ୍ଲେଷଣ କଲେ ରୁଷ ଓ ୟୁକ୍ରେନ ସୈନିକଙ୍କ ମିଳିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇପାରେ ଓ ଆହତଙ୍କ ସଂଖ୍ୟା ୧୦ ଲକ୍ଷରୁ ବି ଅଧିକ ।

ୟୁକ୍ରେନରେ ବଡ଼ ସଂଖ୍ୟାରେ ପ୍ରଶିକ୍ଷିତ ସୈନିକଙ୍କ ଜୀବନ ଯାଇଛି ଓ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ୟୁଏନ ଅନୁସାରେ, ପ୍ରାୟ ୬୫ ଲକ୍ଷ ୟୁକ୍ରେନୀୟ ନାଗରିକ ବିଦେଶର ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି । ୩୭ ଲକ୍ଷରୁ ଅଧିକ ଲୋକ ନିଜ ଦେଶରେ ହିଁ ବିସ୍ଥାପିତ ହୋଇଛନ୍ତି । ୧୯୪୦ ଦଶନ୍ଧି ପରେ ଏହା ୟୁରୋପର ସବୁଠୁ ବଡ଼ ବିସ୍ଥାପନ ସଂକଟ ଅଟେ ।

ଯୁଦ୍ଧରେ ୟୁକ୍ରେରର ସହରାଞ୍ଚଳକୁ ଅଧିକ କ୍ଷତି ହୋଇଛି । ୨୦ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ କିମ୍ୱା ଧ୍ୱଂସ ହୋଇଛି । ମାରିୟୁପୋଲ, ବାଖମୁତ ଓ ଅବଦୀବକା ପରି ସହର ଶ୍ରୀହୀନ ହୋଇଯାଇଛି । ଉର୍ଜା ଭିତ୍ତିଭୂମି ଉପରେ ବାରମ୍ୱାର ଆକ୍ରମଣ ଯୋଗୁଁ ଅନେକ ସମୟରରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି । ମାର୍ଚ୍ଚ ୨୦୨୨ରେ ୟୁକ୍ରେନର ପ୍ରାୟ ୨୭ ପ୍ରତିଶତ ଅଞ୍ଚଳ ଉପରେ ରୁଷ କବଜା କରିଥିଲା । ପରେ ୟୁକ୍ରେନର ପାଲଟା ଆକ୍ରମଣ ପରେ ଉତ୍ତର ଭାଗରୁ ରୁଷ ସେନା ପଛକୁ ହଟିଥିଲା ଓ ଖାରକିଭ୍ କ୍ଷେତ୍ରର ଅଧିକାଂଶ ଅଞ୍ଚଳକୁ ଫେରାଇ ନେଇଥିଲା । ୨୦୨୬ ଆରମ୍ଭ ସୁଦ୍ଧା ରୁଷ ୧୮ ପ୍ରତିଶତ ୟୁକ୍ରେନୀୟ ଅଞ୍ଚଳକୁ ନିଜ କବାଜରେ ରଖିଛି । ୟୁକ୍ରେନ ଏହି ସବୁକୁ ନିଜ ସାର୍ବଭୌମତ୍ୱ ଅଞ୍ଚଳ ଦାବି କରୁଛି, ଅନ୍ୟପଟେ ରୁଷ ଅନେକ କ୍ଷେତ୍ରରେ ନିଜ ପ୍ରଶାସନିକ ଢାଞ୍ଚା ନିର୍ମାଣ କରୁଛି ।

ଜାତିସଂଘ ଅନୁଯାୟୀ, ୟୁକ୍ରେନର ଭିତ୍ତିଭୂମିକୁ ସିଧାସଳଖ ୧୯୫ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଇଛି । ୨୦୨୨ ମସିହାରେ ୟୁକ୍ରେନର ଜିଡିପି ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଥିଲା । ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ଅନୁଯାୟୀ, ପରବର୍ତ୍ତୀ ଦଶନ୍ଧିରେ ପୁନଃନିର୍ମାଣ ଖର୍ଚ୍ଚ ୪୮୬ ବିଲିୟନ ଡଲାର ଅତିକ୍ରମ କରିପାରେ । ଖଣି ପରିପୂର୍ଣ୍ଣ ଜମି, ନଷ୍ଟ ହୋଇଥିବା ଗୋଦାମ ଏବଂ ବନ୍ଦ ବନ୍ଦର ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହେବା ସହିତ କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି ।

ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ରୁଷର ସମ୍ପତ୍ତି ଫ୍ରିଜ୍ ହୋଇଗଲା, ପ୍ରଯୁକ୍ତିବିଦ୍ୟା ଯାଏ ପହଞ୍ଚ ସୀମିତ ହୋଇଗଲା । ରପ୍ତାନି ବଜାର ପ୍ରଭାବିତ ହେଲା । ଯୁଦ୍ଧ ଖର୍ଚ୍ଚ ଶିଳ୍ପ ଉତ୍ପାଦନକୁ ବୃଦ୍ଧି କଲା, କିନ୍ତୁ ଦୀର୍ଘକାଳୀନ ଆର୍ଥିକ ପ୍ରଭାବ ଦେଖାଯାଉଛି । ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ଜୀବନଧାରଣ ମାନ ସ୍ଥିର ହୋଇଛି ଏବଂ ଶ୍ରମଶକ୍ତିର ଘୋର ଅଭାବ ରହିଛି ।

ଏକ ଅଧ୍ୟୟନ ଅନୁଯାୟୀ, ଯୁଦ୍ଧର ମୋଟ ବୈଶ୍ୱିକ ଆର୍ଥିକ ମୂଲ୍ୟ ପ୍ରାୟ ୨.୪ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଯୁଦ୍ଧ ବିଶ୍ୱ ଉର୍ଜା ଏବଂ ଖାଦ୍ୟ ବଜାରକୁ ପ୍ରଭାବିତ କରିଛି । ଯୁଦ୍ଧ ପୂର୍ବରୁ, ରୁଷ ଏବଂ ୟୁକ୍ରେନ ବିଶ୍ୱ ଗହମ ରପ୍ତାନିର ପ୍ରାୟ ୩୦ ପ୍ରତିଶତ ଯୋଗଦାନ କରିଥିଲେ । ବନ୍ଦରଗୁଡ଼ିକ ଉପରେ ଆକ୍ରମଣ ଖାଦ୍ୟ ସଙ୍କଟକୁ ଆହୁରି ଗମ୍ଭୀର ହେଲା । ୟୁରୋପରେ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଲା, ଉର୍ଜା ସବସିଡି ପାଇଁ ସରକାରମାନଙ୍କୁ ଅତ୍ୟଧିକ ଖର୍ଚ୍ଚ କରିବାକୁ ପଡ଼ିଲା । ବିଶ୍ୱବ୍ୟାପୀ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ପାଇଲା ଏବଂ ଅନେକ ଦେଶ ସେମାନଙ୍କର ସୁରକ୍ଷା ନୀତିର ପୁନଃସମୀକ୍ଷା କଲେ ।