News7 Logo

ଆସନ୍ତା ରବିବାର ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର

NEWS7
Lunar eclipse

ଭୁବନେଶ୍ଵର:  ଆସନ୍ତା ରବିବାର ଚନ୍ଦ୍ର ଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଚୁଡାନ୍ତ ନୀତି ନିର୍ଘଣ୍ଟ ମୁତାବକ ଶନିବାର ରାତି ୨ଟାରେ ଶ୍ରୀମନ୍ଦିରର ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ । ରବିବାର ଦିନ ୧୨ଟା ୫୭ ମିନିଟରେ ପାକତ୍ୟାଗ ଥିବାରୁ ଏହା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ କରାଯିବ। ଗ୍ରହଣ ସ୍ପର୍ଶ ହେବା ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଗ୍ରହଣ ମହାସ୍ନାନ ନୀତି ହୋଇ  ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ସମୟ ଠାରୁ ଗ୍ରହଣ ସ୍ପର୍ଶ ହେବା ପର୍ଯ୍ୟନ୍ତ ଏହି ସମୟରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ।

ଆସନ୍ତା ରବିବାର ୭ ତାରିଖରେ ପଡ଼ୁଛି ଚନ୍ଦ୍ର ଗ୍ରହଣ। ଏଥପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ରବିବାର ଚନ୍ଦ୍ରଗ୍ରହଣ ପାଇଁ ଶନିବାର ରାତି ୨ଟାରେ ଶ୍ରୀମନ୍ଦିରର ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ । ପରେ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତିକାନ୍ତି କରାଯାଇ ରବିବାର ଦିନ ୧୨ଟା ୫୭ ମିନିଟ୍ ପୂର୍ବରୁ ଅର୍ଥାତ୍ ପାକତ୍ୟାଗ ପୂର୍ବରୁ ଶ୍ରୀମନ୍ଦିରରେ ସମସ୍ତ ପ୍ରକାର ଦେବନୀତି ସମ୍ପନ୍ନ କରାଯିବ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ଭକ୍ତମାନେ ଭିତରକାଠ ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ।

ରବିବାର ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ ।  ଏହା ପରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ଆଦି ନୀତି ଅନୁଷ୍ଠିତ ହେବ । ତେବେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗରେ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସମ୍ପୂର୍ଣ୍ଣ ନିଷିଦ୍ଧ ଥିବା ବେଳେ ଶ୍ରୀମନ୍ଦିରର ପରମ୍ପରା କିନ୍ତୁ ଭିନ୍ନ । ଗ୍ରହଣ ସ୍ପର୍ଶ ହେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଗ୍ରହଣ ମହାସ୍ନାନ ଓ ଭୋଗ ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥାଏ।

ଚନ୍ଦ୍ରଗ୍ରହଣ ଯୋଗୁଁ ବିଧି ଅନୁଯାୟୀ ଗ୍ରହଣ ସ୍ପର୍ଶ ର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ଦିନ ୧୨ ଟା ୫୭ ମିନିଟ୍ ଠାରୁ ପାକତ୍ୟାଗ ସହିତ ଅନ୍ନ ଗ୍ରହଣ ଏବଂ ଦେବନୀତି ନିଷିଦ୍ଧ  ।ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଅର୍ଥାତ୍ ରବିବାର ରାତି ୧ଟା ୨୭ ମିନିଟ୍ ଗ୍ରହଣ ସର୍ବମୋକ୍ଷ ପରେ ବ୍ରାହ୍ମ ମୁହୁର୍ତ୍ତରେ ଲୋକମାନେ ସ୍ନାନ ସାରି ଠାକୁର ପୂଜା କରିବାର ବିଧି ରହିଛି । କିନ୍ତୁ ବାଳକ, ବୃଦ୍ଧ ଓ ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। କୌଣସି ଗର୍ଭବତୀ ମହିଳା ଗ୍ରହଣ ନ ଦେଖିବାକୁ ବିଧି ରହିଛି ।

ଗ୍ରହଣ ସମୟ ଏକ ପବିତ୍ର ସମୟ ହୋଇଥିବାରୁ ଏହି ସମୟରେ ଲୋକମାନେ ଦାନ, ଜପ ଆଦି କାର୍ଯ୍ୟ କରିବା ଦ୍ବାରା ଅନେକ ଭଲ ଫଳ ମିଳିଥାଏ । ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିମାନେ ଗ୍ରହଣ ଦେଖିବା ନିଷିଦ୍ଧ । ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସହ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବ ବୋଲି ପଞ୍ଜିକାରମାନେ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ କରିଥିବା ବେଳେ ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପାରିତ କରିଛି । ଚନ୍ଦ୍ରଗ୍ରହଣ ଦିନ ସମସ୍ତ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଭାବେ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି।