LIVE TV

ତଦନ୍ତ କରୁଥିବା ଏଏସଆଇ କଲେ ଆତ୍ମହତ୍ୟା, ପୁରନ କୁମାରଙ୍କ ଉପରେ କଲେ ଗୁରୁତର ଅଭିଯୋଗ

NEWS7
New twist in IPS suicide case

ରୋହତକ : ହରିଆଣାର ଚଣ୍ଡିଗଡ଼ରେ ଆଇପିଏସ୍‌ ଅଫିସର ୱାଇ ପୁରନ କୁମାରଙ୍କର ଆତ୍ମହତ୍ୟା ମାମଲାରେ ଏବେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଏହି ମାମଲାର ଯାଞ୍ଚ କରୁଥିବା ଜଣେ ଏଏସଆଇ ହିଁ ଏବେ ନିଜ ଜୀବନ ହାରି ଦେଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ପୁଲିସକୁ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଓ ଭିଡ଼ିଓ ମେସେଜ୍‌ ମିଳିଛି, ଯେଉଁଥିରେ ଏଏସଆଇ ଦିବଙ୍ଗତ ଆଇପିଏସ୍‌ ଅଧିକାରୀ ପୁରନ କୁମାରଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି।

ଏଏସଆଇ ସନ୍ଦୀପ କୁମାର ତିନି ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ଆଇପିଏସ୍‌ ୱାଇ ପୁରନ କୁମାରଙ୍କ ଉପରେ ଗୁରୁତର ଅଭିଯୋଗ ଲଗେଇଛନ୍ତି, ଆଉ କହିଛନ୍ତି – ପୁରନ କୁମାର ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଥିଲେ। ସେ ଲେଖିଛନ୍ତି ଯେ, ପୁରନ ଜାତିବାଦର ସାହାରା ନେଇ ସିଷ୍ଟମକୁ ହାଇଜ୍ୟାକ୍‌ କରୁଥିଲେ। ସନ୍ଦୀପ ଲେଖିଛନ୍ତି ଯେ, ଦିବଙ୍ଗତ ଆଇପିଏସ୍‌ ଅଫିସର ୱାଇ ପୁରନ କୁମାରଙ୍କ ବିରୋଧରେ ତାଙ୍କ ପାଖରେ ବହୁତ ପ୍ରମାଣ ରହିଛି। ସନ୍ଦୀପ ନିଜର ନୋଟ୍‌ରେ ଏହା ମଧ୍ୟ ଲେଖିଛନ୍ତି ଯେ, ଡିଜିପି ସାହେବ ବହୁତ ସଚ୍ଚୋଟ ଅଫିସର।

ସନ୍ଦୀପ କୁମାରଙ୍କର ମୃତଦେହ ରୋହତକ-ପାନିପତ ରୋଡ୍‌ରେ ଏକ ଟ୍ୟୁବୱେଲ୍‌ ପାଖରେ ମିଳିଛି। ସନ୍ଦୀପ ନିଜର ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ମୁଁ ନିଜକୁ ବଳି ଦେଇ ଯାଞ୍ଚ ଦାବି କରୁଛି। ଏହି ଦୁର୍ନୀତିଗ୍ରସ୍ତ ପରିବାରକୁ ଛଡ଼ା ନଯାଉ। ଏଏସଆଇ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କୁ ଚାଲୁ ଥିବା ଯାଞ୍ଚ ମାମଲାରେ ଗିରଫର ଭୟ ଥିଲା, କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଦୁର୍ନୀତି ବ୍ୟବସ୍ଥାର ପର୍ଦ୍ଦାଫାସ କରିବାକୁ ଚାହୁଁ ଥିଲେ। ଏଏସଆଇ ସନ୍ଦୀପ କୁମାର ରୋହତକରେ ସାଇବର ସେଲ୍‌ରେ ମୁତୟନ ଥିଲେ ଏବଂ ଆଇପିଏସ୍‌ଙ୍କର ଗନମ୍ୟାନ ସୁଶୀଲ କୁମାରଙ୍କ ବିରୋଧରେ ଲାଗିଥିବା ଦାଦାବଟି ଅଭିଯୋଗର ଯାଞ୍ଚ କରୁଥିଲେ।  ଏବେ ରୋହତକ ପୁଲିସ ଏହି ମାମଲାରେ ତଦନ୍ତ ଚଳାଇଛି।

ସନ୍ଦୀପ କୁମାରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହୁଛନ୍ତି ଯେ, ମୁଁ ସନ୍ଦୀପ କୁମାର ଆପଣଙ୍କୁ ଏକ ସତ ବିଷୟରେ ଅବଗତ କରାଇବାକୁ ଚାହୁଁଛି। ସତର ମୂଲ୍ୟ ବହୁତ ବଡ଼ ହୋଇଥାଏ। ଭଗତ ସିଂହ ମଧ୍ୟ ନିଜର ତ୍ୟାଗ କରିଥିଲେ। ତାଙ୍କୁ ନିଜର ଜୀବନ ଶେଷ କରିବାକୁ ପଡ଼ିଥିଲା, ତାପରେ ଦେଶ ଜାଗ୍ରତ ହୋଇଥିଲା। ଜଣେ ଦୁର୍ନୀତି ପୁଲିସ ଅଫିସର, ଯିଏ ସଦର ଥାନାର ଏକ ମର୍ଡରରେ ଟଙ୍କା ନେଇଥିଲେ। ସେ ରାଓ ଇନ୍ଦ୍ରଜିତଙ୍କୁ ରକ୍ଷା କରିବା ପାଇଁ ୫୦ କୋଟି ଟଙ୍କାର ଡିଲ୍‌ କରିଥିଲେ। ତାଙ୍କ ସାମ୍ନାରେ  ସଚ୍ଚୋଟ ଅଫିସର ନରେନ୍ଦ୍ର ବିଜାରଣିଆ ଠିଆ ହୋଇଥିଲେ। ସେ ନିଜର ପୋଷ୍ଟିଂ ବେଳେ ସର୍ବଦା ସଚ୍ଚୋଟତାର ସହ କାମ କରିଥିଲେ , ନିଜର ଦରମାରେ ହିଁ ବଞ୍ଚୁ ଥିଲେ। ସେ ପୁଲିସ କର୍ମଚାରୀଙ୍କ ପାଇଁ ଭଲ କାମ କରୁଥିଲେ। ଆଇଜି ପୁରନ କୁମାର ଯେଉଁ ଦିନ ପୋଷ୍ଟେଡ୍‌ ହେଲେ , ସେ ଦେଖିଲେ କି ଅଫିସରେ କେଉଁ କର୍ମଚାରୀଙ୍କର କଣ ଜାତି ଅଛି। ତାପରେ ସେମାନଙ୍କୁ ହଟେଇବା ଆରମ୍ଭ କରିଦେଲେ। ନିଜର ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଦେଇ ଥିଲେ।

ସେହି ଲୋକଙ୍କୁ ଜଣା ଥିଲା ଯେ, କେଉଁ ଫାଇଲ୍‌ରେ ଭୁଲ୍‌ ଭଟକା ଅଛି, ସେ ଲୋକଙ୍କୁ ଡକାଇ ଟଙ୍କା ମାଗିବା ଆରମ୍ଭ କରିଦେଇ ଥିଲେ। ମୋ କଥାରେ ସତ୍ୟତା ଅଛି। ସେ ସେଠାରେ ଏମିତି ପରିବେଶ କରି ଦେଇ ଥିଲେ ଯେ, ସେଠାକୁ କେହି ବି ଯାଉଥିଲା ସୁଶୀଲ ଟଙ୍କା ମାଗିବାରେ ଲାଗି ଯାଉଥିଲେ। ତୁମେମାନେ ନ୍ୟାର ଚେୟାରରେ ବସି କେମିତି ଟଙ୍କା ମାଗୁଛ ?

କହି ରଖୁଛୁ କି, ରୋହତକର ସୁନାରିଆ ସ୍ଥିତ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ତତ୍କାଳୀନ ଇନ୍ସପେକ୍ଟର ଜେନେରାଲ ପଦରେ ମୁତୟନ ଆଇପିଏସ୍‌ ଅଫିସର ପୁରନ କୁମାର ନିଜକୁ ଗୁଳି କରିଥିଲେ,ଯେବେ ତାଙ୍କର ପତ୍ନୀ , ଆଇଏଏସ୍‌ ଅଧିକାରୀ ଅମନିତ ପୁରନ କୁମାର ଜାପାନକୁ ସରକାରୀ ଗସ୍ତରେ ଯାଇଥିଲେ। ପୁରନ କୁମାର ଏକ ସୁଇସାଇଡ୍‌ ନୋଟ୍‌ରେ ଡିଜିପି ଶତ୍ରୁଜିତ୍‌ କପୁର ଓ ରୋହତକର ପୂର୍ବତନ ଏସପି ନରେନ୍ଦ୍ର ବିଜାରନିଆଙ୍କ ସହ ଆଠ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାଁ ନେଇଥିଲେ ଏବଂ ତାଙ୍କ ଉପରେ  ଉତ୍ପୀଡ଼ନ , ଜାତି-ଆଧାରିତ ଭେଦଭାବର ଅଭିଯୋଗ ଲଗେଇ ଥିଲେ। ଏବେ ଏଏସଆଇଙ୍କ ଦ୍ୱାରା ଲଗାଯାଇ ଥିବା ନୂଆ ଅଭିଯୋଗରେ ପୁରନ କୁମାରଙ୍କ ମୃତ୍ୟୁ ମାମଲାର ଜାରି ଯାଞ୍ଚ ଆହୁରି ଜଟିଳ ହେବାର ଆଶା ବଢିଯାଇଛି।